ମାକେନ୍‌, ସୂର୍ଯେୱାଲାଙ୍କୁ ରାଜସ୍ଥାନ ପଠାଇଲେ କଂ‌ଗ୍ରେସ ହାଇକମ‌ାଣ୍ଡ

ନୂଆଦିଲ୍ଲୀ: ରାଜସ୍ଥାନରେ ହାଇ ଭୋଲ୍ଟେଜ୍‌ ରାଜନୈତିକ ଡ୍ରାମା ଆରମ୍ଭ ହୋଇଯାଇଛି। ସରକାର ପ୍ରତି ବିପଦ ଅଚାନକ ବଢ଼ିଛି। ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କ ବିଶ୍ବସ୍ତମାନେ ଗେହଲଟ୍‌ଙ୍କୁ ସମର୍ଥନ କରୁନାହାନ୍ତି। ଏଭଳି ଏକ ସ୍ଥିତିରେ କଂଗ୍ରେସ ହାଇ କମାଣ୍ଡ୍‌ ତଥା ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଜ୍ୟରେ ଦଳୀୟ ସଙ୍କଟକୁ ସୁଧାରିବା ପାଇଁ ବରିଷ୍ଠ ନେତାମାନଙ୍କୁ ରାଜସ୍ଥାନ ପଠାଇଛନ୍ତି। ଦିଲ୍ଲୀ କଂଗ୍ରେସ ନେତା ଅଜୟ ମାକେନ, ରାଜସ୍ଥାନ କଂଗ୍ରେସ ପ୍ରଦେଶ କମିଟି ମୁଖ୍ୟ ଅବିନାଶ ପାଣ୍ଡେ ଏବଂ ଦଳର ବରିଷ୍ଠ ମୁଖପାତ୍ର ରଣଦୀପ ସୂର୍ଯେୱାଲା ଆଜି ରାତିରେ ରାଜସ୍ଥାନ ପହଞ୍ଚିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କ ଦ୍ବାରା ଡକାଯାଇଥିବା ବିଧାୟକ ଦଳ ବୈଠକ ପରେ ମାକେନ୍‌ ଏବଂ ସୂର୍ଯେୱାଲା ସରକାର ବଞ୍ଚାଇବାକୁ ରଣନୀତିକ ଆଲୋଚନା କରିବେ। ଅନ୍ୟପକ୍ଷେ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ଙ୍କୁ ରାଜସ୍ଥାନ ଫେରି ମୁଖ୍ୟମନ୍ତୀ ଅଶୋକ ଗେହଲଟ୍‌ଙ୍କ ନେତୃତ୍ବରେ କାମ କରିବାକୁ ଦଳର ହାଇ କମାଣ୍ଡ୍‌ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ଥାନରେ ରାଜନୈତିକ ସଙ୍କଟର ସମାଧାନ ପାଇଁ କଂଗ୍ରେସ ମାକେନ, ଅବିନାଶ ପାଣ୍ଡେ ଏବଂ ସୂର୍ଯେୱାଲାଙ୍କୁ ନିଯୁକ୍ତ କରିଛି। ଆସନ୍ତାକାଲି ପୂର୍ବାହ୍ନ ୧୦.୩୦ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହେବାକୁ ଥିବା ବିଧାୟକ ଦଳ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି। ଏହି ବୈଠକରେ ସଚିନ ପାଇଲଟ୍‌ ଯୋଗଦେବା ସମ୍ଭାବନା ନାହିଁ ବୋଲି କୁହାଯାଉଛି। ପାଇଲଟ୍‌ କହିଛନ୍ତି ଯେ ତାଙ୍କୁ ଅପମାନିତ କରାଯିବା ଉଦ୍ଦେଶ୍ୟରେ ବହୁତ କିଛି କରାଯାଉଛି ଏବଂ ସେ ଏହାକୁ ଆଉ ସହ୍ୟ କରିବା ସ୍ଥିତିରେ ନାହାନ୍ତି।

ସମ୍ବନ୍ଧିତ ଖବର