ନୂଆଦିଲ୍ଲୀ: ରାଜସ୍ଥାନର ଭରତପୁରର କଂଗ୍ରେସ ସାଂସଦ ସଞ୍ଜନା ଜାଟବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ତାଙ୍କର ସୁରକ୍ଷା ପାଇଁ କନଷ୍ଟେବଳ ସ୍ବାମୀଙ୍କୁ ନିୟୋଜିତ କରାଯାଇଛି। କୌଣସି ସାଂସଦଙ୍କୁ ସୁରକ୍ଷା ଦେବା ପାଇଁ ସ୍ବାମୀଙ୍କୁ ନିୟୋଜିତ କରିବା ଘଟଣା ହେଉଛି ଏହା ପଥ୍ରମ।
ଅଲବର ଏସପି ଆନନ୍ଦ ଶର୍ମାଙ୍କ ନିର୍ଦ୍ଦେଶରେ ସାଂସଦଙ୍କ କନଷ୍ଟେବଳ ସ୍ୱାମୀଙ୍କୁ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ) କରାଯାଇଛି।
ଏହି ଘଟଣାକୁ ନେଇ ସାଂସଦ ସଞ୍ଜନା ଜାଟଭ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ସ୍ୱାମୀ ହେଉଛନ୍ତି ମୋର ଶକ୍ତି, ବର୍ତ୍ତମାନ ସେ ଡ୍ୟୁଟି ସମୟରେ ମଧ୍ୟ ମୋ ସହିତ ରହିବେ ଏହାଠାରୁ ଭାଗ୍ୟର କଥା ଆଉ କ’ଣ ହୋଇପାରେ। ସେ ପୂର୍ବରୁ ମଧ୍ୟ ମୋ ସହିତ ଥିଲେ ଏବଂ ବର୍ତ୍ତମାନ ମଧ୍ୟ ମୋ ସହିତ ଅଛନ୍ତି ।
ସାଂସଦ ହେବା ପରେ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ, କେବଳ କାମ ବଢ଼ିଛି କିନ୍ତୁ ଆଚରଣ ସମାନ ରହିଛି।’
ସେହିପରି ସଞ୍ଜନାଙ୍କ ସ୍ୱାମୀ କପ୍ଟାନ ସିଂ କହିଛନ୍ତି, ‘ମୋ ସହିତ ସାଂସଦ ଅଧିକ ସ୍ବାଭାବିକ ଅନୁଭବ କରିବେ। ତାଙ୍କ ସୁରକ୍ଷା ପାଇଁ କାମ କରିବାର ସୁଯୋଗ ମିଳିଥିବାରୁ ଖୁସି ଲାଗୁଛି। ଗତ ମାସରେ ଏନେଇ ନିଜ ପକ୍ଷରୁ ଆମେ ଅନୁମତି ମାଗିବା ପରେ ପୁଲିସ ବିଭାଗ ଆମ ପ୍ରସ୍ତାବରେ ରାଜି ହୋଇଯାଇଥିଲା। ଏହାପରେ ଅଲବର ଏସପି ଆନନ୍ଦ ଶର୍ମାଙ୍କ ନିର୍ଦ୍ଦେଶରେ ମୋତେ ସଞ୍ଜନାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (ପିଏସଓ)ଭାବେ ନିୟୋଜିତ କରାଯାଇଛି।’