ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ପାଇଁ ଗେହେଲଟ୍ କ୍ୟାମ୍ପରୁ ସୋନିଆ ଗାନ୍ଧୀଙ୍କୁ ପଠାଗଲା ୫ଟି ନାମ, ପାଇଲଟଙ୍କ ନାଁ ନାହିଁ

ଜୟପୁର: ରାଜସ୍ଥାନରେ ଅଶୋକ ଗେହଲଟ- ସଚ୍ଚିନ୍ ପାଇଲଟଙ୍କ ମଧ୍ୟରେ ବିବାଦ ଜାରି ରହିଛି। ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଚୌକି ହସ୍ତାନ୍ତର କରିବା ପାଇଁ ଗେହଲଟ୍ ରାଜି ନଥିବା ବେଳେ ହାଇକମାଣ୍ଡ ପାଇଲଟଙ୍କ ସପକ୍ଷରେ ରହିଥିବା ଜଣାପଡ଼ୁଛି । ଏହି କାରଣରୁ ବର୍ତ୍ତମାନ ରାଜସ୍ଥାନରେ ଗେହଲଟ୍ ଓ ହାଇକମାଣ୍ଡଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି। ଗେହଲଟଙ୍କ ସମର୍ଥକ ବିଧାୟକମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ସେମାନେ କୌଣସି ପରିସ୍ଥିତିରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୋନିଆ ଗାନ୍ଧୀଙ୍କୁ ୫ଟି ନାମ ପଠାଯାଇଛି। ୫ଜଣଙ୍କ ମଧ୍ୟରେ ସିପି ଯୋଶୀ, ଗୋବିନ୍ଦ ସିଂ ଦୋଟାସାରା, ରଘୁ ଶର୍ମା, ହରିଶ ଚୌଧୁରୀ ଏବଂ ଭୱର ସିଂ ଭାଟିଙ୍କ ନାଁ ରହିଥିବା ବେଳେ ପାଇଲଟକୁ ସ୍ଥାନ ଦିଆଯାଇନାହିଁ।

ଏବେ ଉଭୟ କଂଗ୍ରେସ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜୁନ ଖଡଗେ ଏବଂ ଅଜୟ ମାକନ ଦିଲ୍ଲୀକୁୁ ଉଡାଣ କରିଛନ୍ତି। ତେବେ ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଉଭୟ ପର୍ଯ୍ୟବେକ୍ଷକଙ୍କୁ ଏକ ଘରୋଇ ହୋଟେଲରେ ଭେଟିଥିଲେ ବୋଲି ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଦୁଇଜଣଙ୍କୁ ଭେଟି ଗେହଲଟ ମୁଖ୍ୟମନ୍ତ୍ରୀ ପଦ ପାଇଁ ୫ଟି ନାଁ ସୁପାରିସ କରିଛନ୍ତି।

ଏହା ପୂର୍ବରୁ ୨୦୨୦ରେ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମୁଖ୍ୟମନ୍ତ୍ରୀ ପଦ ବିପଦରେ ପଡିଥିଲା। ହେଲେ ପରେ ଗେହଲଟ୍ ତାଙ୍କର ରାଜନୈତିକ ଦକ୍ଷତା ସହିତ ସେହି ବିଦ୍ରୋହରୁ ରକ୍ଷା ପାଇଥିଲେ। କିନ୍ତୁ ବର୍ତ୍ତମାନ ଗେହଲଟ୍ ଏବଂ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ସ୍ପଷ୍ଟ କରିଛି ଯେ ପାଇଲଟଙ୍କୁ ଅଟକାଇବା ପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ୍ କିଛି ବି କରିବାକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ଏପରିକି ଗେହଲଟ୍ ନିଜର ୫୦ବର୍ଷର ରାଜନୈତିକ କ୍ୟାରିଅରକୁ ବିପଦରେ ପକାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର