ରାଜସ୍ଥାନ ସଙ୍କଟ ଟଳିନି : ଗେହଲଟ୍‌ଙ୍କ ବୈଠକକୁ ଆସିଲେନି ପାଇଲଟ୍, ଆଜି ପୁଣି ବସିବ କଂଗ୍ରେସ ବୈଠକ

ସହଯୋଗୀ ଘରେ ଆଇଟି ଚଢ଼ଉ

ଜୟପୁର : ରାଜସ୍ଥାନରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ବିଦ୍ରୋହ ପରେ ମୁଖ୍ୟମନନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସରକାରକୁ ବଞ୍ଚାଇବାପାଇଁ କଂଗ୍ରେସ ଜୋରଦାର ଉଦ୍ୟମ ଜାରି ରଖିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବଳ ଛକାପଞ୍ଝା ମଧ୍ୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକକୁ ଆସିନଥିଲେ ପାଇଲଟ୍। ତାଙ୍କୁ ମନାଇବ‌ା ଲାଗି ଉଦ୍ୟମ ଜାରି ରହିଥିବା ବେଳେ ଦଳୀୟ ବିଧାୟକମାନଙ୍କୁ ଏକଜୁଟ୍ ରଖିବା ଲାଗି ସେମାନଙ୍କୁ ଏକ ହୋଟେଲକୁ ନେଇ ରଖାଯାଇଛି। ଆସନ୍ତାକାଲି କଂଗ୍ରେସ ଦଳର ପୁଣି ବୈଠକ ବସିବ। ଏଥିରେ ‌େଯାଗ ଦେବାଲାଗି ପାଇଲଟଙ୍କୁ ଅନୁରୋଧ କରାଯାଇଛି।

କଂଗ୍ରେସ ହାଇକମାଣ୍ଡଙ୍କ ଦୁଇ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଜି ବିଧାୟକମାନଙ୍କ ବୈଠକ ହୋଇଥିଲା। ଏଥିରେ ଦଳର ୯୫ ଜଣ ବୈଠକ ଯୋଗ ଦେଇଥିବା କୁହାଯାଉଛି। ସଚିନ ପାଇଲଟ୍‌ଙ୍କ ସମେତ ୧୨ ଜଣ ବିଧାୟକ ଉପସ୍ଥିତ ନଥିଲେ। ଗେହଲଟ୍‌ଙ୍କ ବାସଭବନରେ ଅନୁଷ୍ଠିତ ବୈଠକ ୨ ଘଣ୍ଟା ଧରି ଚାଲିଥିଲା। ବୈଠକ ପରେ ୩ଟି ବସ୍‌ରେ ବିଧାୟକମାନଙ୍କୁ‌ ହୋଟେଲ୍‌ ପଠାଯାଇଥିଲା।

ବୈଠକ ପୂର୍ବରୁ ଦଳର ଜାତୀୟ ମୁଖପାତ୍ର ରଣଦୀପ ସୁର୍ଯେୱାଲା କହିଥିଲେ ଯେ ସଚିନ ପାଇଲଟ୍‌ଙ୍କ ପାଇଁ ଏବେ ବି କଂଗ୍ରେସର ଦ୍ବାର ଉନ୍ମୁକ୍ତ ଅଛି। ଗତ ୪୮ ଘଣ୍ଟା ମଧ୍ୟରେ ପାଇଲଟ୍‌ଙ୍କ ସହ ଅନେକ ଥର ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଛି। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଦଳର ଅନେକ ଶୀର୍ଷ ନେତା ପାଇଲଟ୍‌ଙ୍କୁ ମନାଇବାକୁ ପ୍ରୟାସ ଜାରି ରଖିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ , ଅହମଦ ପଟେଲ୍‌ ଏବଂ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପାଇଲଟ୍‌ଙ୍କୁ ମନାଇବାପାଇଁ ଉଦ୍ୟମ କରୁଥିବା କୁହାଯାଇଛି।

ଅନ୍ୟପକ୍ଷରେ ସଚିନ ପାଇଲଟ୍‌ ବିଜେପିରେ ଯୋଗ ଦେବାନେଇ ଯେଉଁ ଖବର ମିଳିଛି ତାକୁ ସେ ଖଣ୍ଡନ କରିଛନ୍ତି। ଗାନ୍ଧୀ ପରିବାରର କୌଣସି ନେତାଙ୍କ ସହ ସେ ଆଲୋଚନା କରିନାହାନ୍ତି କିମ୍ବା କୌଣସି ପ୍ରକାର ଦାବି ରଖିନାହାନ୍ତି ବୋଲି କହିଛନ୍ତି। ତେବେ ପାଇଲଟ୍‌ଙ୍କ ଶିବିର ପକ୍ଷରୁ ଦାବି କରାଯାଇଛି ଯେ ଗେହଲଟ୍‌ଙ୍କ ସହ ମାତ୍ର ୮୪ ବିଧାୟକଙ୍କ ସମର୍ଥନ ରହିଛି। ବାକି ବିଧାୟକ ଆମ ସହ ରହିଛନ୍ତି। ଅନ୍ୟ ଏକ ସୂତ୍ରରୁ ପ୍ରକାଶ ଯେ ଗେହଲଟଙ୍କ ବୈଠକରେ ମାତ୍ର ୧୦୬ ଜଣ ବିଧାୟକ ଉପସ୍ଥିତ ଥିଲେ।

ଇତିମଧ୍ୟରେ ସରକାରକୁ ବାହାରୁ ସମର୍ଥନ ଦେଉଥିବା ଭାରତୀୟ ଟ୍ରାଇବାଲ ପାର୍ଟିର ଦୁଇ ଜଣ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଜଣାଇଛନ୍ତି। ୨୦୦ ସଭ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସର ୧୦୭ ବିଧାୟକ ଥିବା ବେଳ ୧୦ ଜଣ ସ୍ବାଧୀନ ବିଧାୟକ ସମର୍ଥନ କରୁଛନ୍ତି। ଅନ୍ୟପକ୍ଷରେ ବିଜେପିର ୭୨ ଏବଂ ତିନି ଜଣ ସହଯୋଗୀ ପାର୍ଟିର ବିଧାୟକ ରହିଛନ୍ତି।

ଇତିମଧ୍ୟରେ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କର ଦୁଇ ଜଣ ସହଯୋଗୀଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଛି। ଟିକସ ଫାଙ୍କି ଅଭିଯୋଗରେ ୨୦୦ ଆୟକର ଅଧିକାରୀ ଦିଲ୍ଲୀ, ଜୟପୁର, ମୁମ୍ବାଇ ଏବଂ କୋଟାସ୍ଥିତ ୨୨ଟି ସ୍ଥାନରେ ଚଢ଼ଉ କରିଛନ୍ତି। ସରକାରକୁ ଅସ୍ଥିର କରିବା ଲାଗି କେନ୍ଦ୍ର ସରକାର ଏଭଳି ଚକ୍ରାନ୍ତ ଚଳାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର

Comments are closed.