ରାଜସ୍ଥାନ ସଙ୍କଟ ଟଳିଲା, ପାଇଲଟ୍ ଫେରିବେ

ନୂଆଦିଲ୍ଲୀ : ରାଜସ୍ଥାନ କଂଗ୍ରେସରେ ଗତ ଏକ ମାସ ଧରି ଚାଲିଥିବା ସଙ୍କଟର ଅବସାନ ଘଟିବାକୁ ଯାଉଥିବାର ସୂଚନା ମିଳିଲାଣି। ଅସନ୍ତୁଷ୍ଟ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି ରାହୁଲ ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବା ପରେ ଏଭଳି ସଙ୍କେତ ମିଳିଛି। ପାଇଲଟ ଆଣିଥିବା ଅଭିଯୋଗ ଉପରେ ବିଚାର କରିବା ଲାଗି ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧି ଏକ ତିନି ଜଣିଆ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

କଂଗ୍ରେସର ସାଂଗଠନିକ ସଂପାଦକ କେସି ବେଣୁଗୋପାଳ ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇ କହିଛନ୍ତି ଯେ ଉଭୟ କଂଗ୍ରେସ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ବାଧୀନ ସରକାର ପାଇଁ ମିଳିମିଶି କାମ କରିବାକୁ ପାଇଲଟ ପ୍ରତିଶ୍ରୁତି ଦେଇଛନ୍ତି। ଏହା ଫଳରେ ଆସନ୍ତା ୧୪ ତାରିଖ ଦିନ ରାଜ୍ୟ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ଗେହଲଟଙ୍କ ପାଇଁ ବିଶେଷ ଅସୁବିଧା ହେବନାହିଁ। ନିଜ ସରକାରର ସଂଖ୍ୟାଗରିଷ୍ଠତାର ପ୍ରମାଣ ଲାଗି ଗେହଲଟ ଏହି ଅଧିବେଶନ ଡାକିଛନ୍ତି।

କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ଉଦ୍ୟମ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଉଛି। ସେମାନଙ୍କ ଯୋଗୁ ରାହୁଲଙ୍କ ସହିତ ପାଇଲଟଙ୍କର ଭେଟ ହୋଇଥିଲା। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିବା ଏହି ସାକ୍ଷାତ ଆଲୋଚନା ବେଳେ ପ୍ରିୟଙ୍କା ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ମନଖୋଲା ଆଲୋଚନା ହୋଇଥିଲା। ଆସନ୍ତା ୧୪ ତାରିଖ ପୂର୍ବରୁ ‌େସମାନଙ୍କ ମଧ୍ୟରେ ପୁଣି ଆଲୋଚନା ହେବ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ସଚିନ ପାଇଲଟ ଓ ତାଙ୍କର ଅନୁଗତ ୧୮ ବିଧାୟକ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ‌ଗେହଲଟଙ୍କ ବିରୋଧରେ ମାସେରୁ ଅଧିକ ସମୟ ହେଲା ବିଦ୍ରୋହ କରିଛନ୍ତି। କଂଗ୍ରେସ ନେତାଙ୍କ ଅନୁରୋଧ ସତ୍ତ୍ବେ ପାଇଲଟ ଏବଂ ଅନ୍ୟମାନେ ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ। ଫଳରେ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ସହିତ ପିସିସି ସଭାପତି ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା। ଏହାସହିତ ସେମାନଙ୍କୁ ବିଧାନସଭାର ସଭ୍ୟ ପଦରୁ ଅଯୋଗ୍ୟ ଘୋଷଣା କରିବା ଲାଗି ବାଚସ୍ପତି ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାକୁ ନେଇ ମାମଲା ଏବେ କୋର୍ଟରେ ରହିଛି।

ସମ୍ବନ୍ଧିତ ଖବର