ଜୟପୁର: ରାଜସ୍ଥାନରେ କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହକୁ ନେଇ ଉପୁଜିଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡକାଯିବା ଏବଂ ତାଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ସୁଯୋଗ ଦେବା ଜିଦ୍‌ରେ ଅଟଳ ଥିବା ବେଳେ ରାଜ୍ୟପାଳ କଲରାଜ ମିଶ୍ର ଏ ବାବଦରେ କିଛି ‌ନିଷ୍ପତ୍ତି ନେଇନାହାନ୍ତି। ଆଜି ଗେହଲଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଜୁଲାଇ ୨୯ ତାରିଖ ଦିନ ବିଧାନସଭା ଅଧିବେଶନ ଡକାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି ଏବଂ ଏ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି। ରାଜ୍ୟପାଳ ପ୍ରସ୍ତାବ ଯଦି ଗ୍ରହଣ ନ କରିବେ, ଆବଶ୍ୟକ ସ୍ଥଳେ ଆମେ ରାଷ୍ଟ୍ରପତିଙ୍କୁ ଭେଟି ଏଥିରେ ହସ୍ତକ୍ଷେପ ପାଇଁ ଦାବି କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଅନ୍ୟପକ୍ଷରେ ରାଜସ୍ଥାନ କଂଗ୍ରେସ ପକ୍ଷରୁ ବିଜେପି ବିରୋଧରେ ସରକାର ଭାଙ୍ଗିବା ଷଡ଼ଯନ୍ତ୍ର ଅଭିଯୋଗ ଆଣି ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ବିଜେପି ମଧ୍ୟ ଏବେ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କଂଗ୍ରେସରେ ଅନ୍ତରୀଣ କଳହ ପାଇଁ ବିଜେପିକୁ ଦାୟୀ କରାଯାଇପାରିବ ନାହିଁ ବୋଲି ବିଜେପି କହିଛି। ରାଜ୍ୟପାଳ ମଧ୍ୟ କଂଗ୍ରେସ ବିଧାୟକ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆଚରଣରେ ଅତ୍ୟନ୍ତ କ୍ଷୁବ୍ଧ ବୋଲି ଏକ ପତ୍ର ମାଧ୍ୟମରେ ଜଣାଇ ଦେଇଛନ୍ତି। ଆଜି ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ, ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ, ବିରୋଧୀ ଦଳ ଉପନେତା ରାଜେନ୍ଦ୍ର ରାଠୋର୍‌ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ସାଂପ୍ରତିକ ସ୍ଥିତି ନେଇ ଆଲୋଚନା କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟପାଳଙ୍କୁ ଯେଉଁ ଧମକ ଦେଇଛନ୍ତି ତାହା ଏକ ଅପରାଧ ବୋଲି ବିଜେପି ରାଜ୍ୟ ସଭାପତି ପୁନିଆ କହିଛନ୍ତି।

ବିଧାନସଭା ଅଧିବେଶନ ଡାକିବା ପ୍ରସଙ୍ଗ
କ୍ୟାବିନେଟ୍‌ ପରାମର୍ଶକୁ ରାଜ୍ୟପାଳ ପ୍ରତ୍ୟାଖ୍ୟାନ କରିପାରିବେ କି?
ନୂଆଦିଲ୍ଲୀ : ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି। କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ୍‌ଙ୍କ ଗୋଷ୍ଠୀକୁ ହାଇକୋର୍ଟରେ ଆଶ୍ବସ୍ତି ମିଳିବା ପରେ ରାଜସ୍ଥାନ କଂଗ୍ରେସ ଏବେ ଲଢ଼େଇକୁ ରାଜଭବନକୁ ନେଇଯାଇଛି। ରାଜସ୍ଥାନ କଂଗ୍ରେସ ବିଧାୟକମାନେ ବିଧାନସଭା ଅଧିବେଶନ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତେବେ ଏଭଳି ସ୍ଥିତିରେ ରାଜ୍ୟପାଳ ତାଙ୍କ କ୍ଷମତାର ବ୍ୟବହାର କରି ମନ୍ତ୍ରୀ ପରିଷଦର ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିପାରିବେ କି ବୋଲି ପ୍ରଶ୍ନ ଉଠିଛି। ସମ୍ବିଧାନର ଧାରା ୧୭୪ ଅନୁଯାୟୀ ରାଜ୍ୟପାଳ ଯେ କୌଣସି ସମୟକୁ ଉପଯୁକ୍ତ ଭାବିବେ ସେ ସମୟରେ ସେ ବିଧାନସଭା ଅଧିବେଶନ ଡାକିପାରିବେ। ପ୍ରଶ୍ନ ଉଠୁଛି ଏ କ୍ଷେତ୍ରରେ କ'ଣ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ‌ରେ ମନ୍ତ୍ରୀ ପରିଷଦର ପରାମର୍ଶକୁ ପ୍ରତ୍ୟାଖ୍ୟାନ କରିପାରିବେ। ସୁପ୍ରିମକୋର୍ଟଙ୍କର ଏକ ୫ ଜଣିଆ ଖଣ୍ଡପୀଠ ଜୁଲାଇ ୨୦୧୬ରେ ନବାମ ରେବିୟା ରାୟରେ ସ୍ପଷ୍ଟ କରିଥିଲେ ଯେ- ସମ୍ବିଧାନ‌ରେ ରହିଥିବା ବ୍ୟବସ୍ଥା ଏବଂ ଧାରା ୧୭୪ ଅନୁଯାୟୀ ରାଜ୍ୟପାଳ କେବଳ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦଙ୍କ ପରାମର୍ଶ ଏବଂ ଅନୁମୋଦନକ୍ରମେ ଗୃହର ଅଧିବେଶନ ଡାକିପାରିବେ, ଅଚଳ କରିପାରିବେ ଏବଂ ଭାଙ୍ଗିପାରିବେ। ସୁପ୍ରିମକୋର୍ଟ ଏହି ରାୟରେ କହିଥିଲେ ଯେ, ଉଭୟ ସାଧାରଣ ଏବଂ ଅସାଧାରଣ ପରିସ୍ଥିତିରେ ରାଜ୍ୟପା‌ଳ ନିଜ ଇଚ୍ଛାରେ ଚାହିଲେ ବିଧାନସଭା ଅଧିବେଶନ ଡାକିପାରିବେ ନାହିଁ କି ଭାଙ୍ଗି ପାରିବେ ନାହିଁ। ଯେଉଁ ସମୟରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦ ଗୃହର ଆସ୍ଥା ହରାଇ ସାରିଥିବେ ସେହି ସମୟ‌ରେ ରାଜ୍ୟପାଳ ଗୃହରେ ଆସ୍ଥା ଭୋଟ୍‌ ପାଇଁ ଏବଂ ସଂଖ୍ୟାଗରିଷ୍ଠତାର ପ୍ରମାଣ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦଙ୍କୁ କହିପାରିବେ। କିନ୍ତୁ କ୍ଷମତାରେ ଥିବା ସରକାରଙ୍କ ନିକଟରେ ଯେତେବେଳେ ସଂଖ୍ୟାଗରିଷ୍ଠତା ଥିବ ସେ ସମୟରେ ରାଜ୍ୟପାଳ ବିନା କୌଣସି ପରାମର୍ଶରେ ତାଙ୍କର ଇଚ୍ଛାଧୀନ କ୍ଷମତା ବ୍ୟବହାର କରିପାରିବେ ନାହିଁ।