ଏତେ ଚେଷ୍ଟା ପରେ ଚାକିରି ହେଉ ନାହିଁ, ପରିବାର ଉପରେ ବୋଝ ହେବା ଅପେକ୍ଷା ମରିଯିବା ଭଲ କହି ରେଳ ଧାରଣାକୁ ଡ଼େଇଁଲେ ୪ଜଣ ଯୁବକ; ଜୀବନ ଚାଲିଗଲା

ଜୟପୁର : ଦେଶରେ ସରକାର ଯୁବକ-ଯୁବତୀମାନଙ୍କୁ ଚାକିରି ଦେଇ ରୋଜଗାର କ୍ଷମ କରିବାର ଦାବି କରୁଥିବା ବେଳେ ରାଜସ୍ଥାନର ଜୟପୁରରେ ଘଟିଥିବା ଘଟଣା ସରକାରଙ୍କ ଅସଲ ମୁଖା ଖୋଲିଛି । ଚାକିରି ନ ମିଳିବାରୁ ୪ ଜଣ ବନ୍ଧୁଙ୍କ ସାମୂହିକ ଆତ୍ମହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଟ୍ରେନ୍‌ ଆଗକୁ ଡ଼େଇଁ ୪ଜଣ ଯୁବକ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଜଣକୁ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଂଙ୍କଟାପନ୍ନ ଥିବା କୁହାଯାଇଛି ।

ଚାକିରି ନ ହେବାରୁ ଅବସାଦଗ୍ରସ୍ତ ହୋଇ ୪ ଜଣ ଯୁବକ ଏପରି ପଦକ୍ଷେପ ନେଇଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଆତ୍ମହତ୍ୟା ପାଇଁ ୫ ଜଣ ବନ୍ଧୁ ଯାଇଥିବା ବେଳେ ଜଣେ ଡ଼ରରେ ରେଳ ଧାରଣାକୁ ଡ଼େଇଁ ପାରି ନ ଥିଲେ । ମନୋଜ ମୀନା,ସତ୍ୟନାରାୟଣ ମୀନା,ଋଷି ମୀନାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଭିଷେକ ମିନା ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ସତ୍ୟନାରାୟଣ ଫୋନ କରି ସମସ୍ତ ସାଙ୍ଗକୁ ରେଳ ଧାରଣା ପାଖକୁ ଡ଼ାକିବା ପରେ ସମସ୍ତେ ସେଠାରେ ପହଞ୍ଚିଥିଲେ । ଶେଷରେ ରାହୁଲ ନାମକ ଜଣେ ସାଙ୍ଗ ପହଞ୍ଚିବା ପରେ ସତ୍ୟନାରାୟଣ ତାଙ୍କୁ ନିଜ ଦୁଃଖ ଜଣାଇଥିଲେ । ଚାଷ କରି ପାରିବୁ ନାହିଁ ଚାକିରି ବି ହେଉ ନାହିଁ । ଆମେ ତ ମରିବୁ । ତୁ କ’ଣ କରିବୁ କହ ବୋଲି ସତ୍ୟନାରାୟଣ ରାହୁଲଙ୍କୁ କହିଥିଲେ । ରାହୁଲ କିଛି କହିବା ପୂର୍ବରୁ ମନୋଜ,ସତ୍ୟନାରାୟଣ,ଋଷି ଏବଂ ଅଭିଷେକ ଆସୁଥିବା ଟ୍ରେନ୍‌ ଆଗକୁ ଡ଼େଇଁ ପଡ଼ିଥିଲେ । ସାଙ୍ଗମାନଙ୍କ ଏପରି କାମ ଦେଖି ଡ଼ରରେ ସେଠାରୁ ଚାଲି ଆସିଥିଲେ ରାହୁଲ । ଦୁର୍ଘଟଣା ପରେ ପୁଲିସ ସିସିଟିଭି ଚେକ୍‌ କରି ରାହୁଲଙ୍କୁ ଡ଼ାକି ପଚରାଉଚରା କରିବା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର