ଯୋଧପୁର: ରାଜସ୍ଥାନର ଯୋଧପୁରରେ ରବିବାର ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି। ନିଜ ଘର ଆଗରେ କୁକୁରମାନେ ଆଡ୍ଡା ମାରୁଛନ୍ତି ବୋଲି ଜଣେ ଡାକ୍ତର ଏକ କୁକୁରକୁ ନିଜ କାରରେ ବାନ୍ଧି ସହର ବୁଲାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପଶୁମାନଙ୍କ ପ୍ରତି ଏଭଳି ନିଷ୍ଠୁରତା ଭିଡିଓ ଭାଇରାଲ ହେବା ପରେ ସିଟି ଡଗ ହୋମ ଫାଉଣ୍ଡେସନ ପକ୍ଷରୁ ପୁଲିସରେ ଏକ ଏତଲା ଦିଆଯାଇଛି।

Advertisment

ସ୍ଥାନୀୟ ପୁଲିସ ଷ୍ଟେଶନର ଏସଏଚଓ ଯୋଗେନ୍ଦ୍ର ସିଂହଙ୍କ କହିବାନୁଯାୟୀ ଉକ୍ତ ଡାକ୍ତରଙ୍କୁ ଚିହ୍ନଟ କରାଯାଇଛି। ସେ ହେଉଛନ୍ତି ଡ. ରଜନୀଶ ଗଲୱା। ପଶୁମାନଙ୍କ ପ୍ରତି ନିଷ୍ଠୁରତା ପ୍ରଦର୍ଶନ କରିଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏ ସଂକ୍ରାନ୍ତରେ ତାଙ୍କୁ ପଚରାଉଚରା ପରେ ସେ କହିଛନ୍ତି ଯେ, ତାଙ୍କ ଘର ଆଗରେ ସାହିର ଅନେକ ବୁଲା କୁକୁର ଆଡ୍ଡା ମାରୁଛନ୍ତି। ତେଣୁ ସେମାନଙ୍କୁ ସାବାଡ କରିବା ପାଇଁ ସେ ଏଭଳି ପନ୍ଥା ଅବଲମ୍ବନ କରିଛନ୍ତି। ତେବେ କୁକୁରଙ୍କୁ କାର ପଛରେ ବାନ୍ଧି ସହର ବୁଲାଇବା ଦୃଶ୍ୟ ଦେଖିବା ପରେ କିଛି ପଥଚାରୀ କାରକୁ ଅଟକାଇ କୁକୁରକୁ ଫିଟାଇଥିଲେ। ପରେ ସିଟି ଡଗ ହୋମ ଫାଉଣ୍ଡେସନକୁ ଖବର ଦେଇଥିଲେ।