ବଞ୍ଚିଗଲା ଡାକ୍ତର ହେବାର ସ୍ବପ୍ନ! ଯୋଧପୁରରେ ଶରଣ ପଶିଥିବା ପାକିସ୍ତାନୀ ହିନ୍ଦୁ ଝିଅ ଦେଇପାରିବେ ଦ୍ବାଦଶ ପରୀକ୍ଷା

ନୂଅଦିଲ୍ଳୀ: ଡାମିଙ୍କ ଉଜୁଡ଼ି ଯାଇଥିବା ସ୍ବପ୍ନ ଏବେ ପୁଣି ଥରେ ପୂରା ହେବାର ସମ୍ଭାବନାଟିଏ ସୃଷ୍ଟି ହୋଇଛି। ପାକିସ୍ତାନରୁ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ରାଜସ୍ଥାନର ଯୋଧପୁରରେ ଆସି ଶରଣ ପଶିଥିବା ହିିନ୍ଦୁ ଝିଅ ଡାମି ଦେଇପାରିବେ ଦ୍ବାଦଶ ପରୀକ୍ଷା। ତାଙ୍କର ଡାକ୍ତର ହେବାର ସ୍ବପ୍ନ ଆଗରେ ଆସିଥିବା ବାଧକ ହଟିଯାଇଛି।

ପାକିସ୍ତାନରେ ଦଶମ ପାସ୍‌ କରିଥିବା ଡାମି ଏବେ ଯୋଧପୁରରେ ଦ୍ବାଦଶ ଶ୍ରେଣୀରେ ପାଠ ପଢୁଛନ୍ତି।  ଭବିଷ୍ୟତରେ ଜଣେ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲେ ବି ଆବଶ୍ୟକୀୟ ପ୍ରମାଣପତ୍ର ନଥିବା କାରଣରୁ ଦ୍ବାଦଶ ବୋର୍ଡ ଦେବାରୁ  ବଞ୍ଚିତ ହୋଇପାରନ୍ତି ବୋଲି କଥା ଉଠିବା ପରେ ଭାଙ୍ଗି ପଡ଼ିଥିଲେ ଡାମି। ଯେଉଁ ପ୍ରମାଣପତ୍ର ଦାଖଲ କଲେ ସେ ଦ୍ବାଦଶ ପରୀକ୍ଷା ଦେବେ ସେ ପ୍ରମାଣପତ୍ର ନଥିବା କାରଣରୁ ଡାମି ପରୀକ୍ଷା ଦେଇପାରିବେ ନାହିଁ ବୋଲି କୁହାଯାଇଥିଲେ ବି ଏବେ ସାମାନ୍ୟ ସମାଧାନର ବାଟ ଫିଟିଛି।

https://www.newindianexpress.com/

ପାକିସ୍ତାନର ସିନ୍ଧରୁ ଖସି ପଳାଇ ଆସିଥିବା ଡାମି ଯୋଧପୁରରୁ ୨୦ କିଲୋମିଟର ଦୂରରେ ଥିବା ଏକ ଶରଣାର୍ଥୀ ଶିବିରରେ ରହୁଛନ୍ତି। ସେ ସେଠାରେ ଶରାଣାର୍ଥୀ ଶିବିରରେ ରହି ମଧ୍ୟ ପାଠପଢ଼ା ଛାଡ଼ି ନାହାନ୍ତି। ସ୍ଥାନୀୟ ଏକ ସ୍କୁଲ୍‌ରେ ବିଜ୍ଞାନରେ ଏକାଦଶ ପଢ଼ି ପରୀକ୍ଷା ଦେଇଛନ୍ତି। ତାଙ୍କ ନିକଟରେ ଏକାଦଶର ମାର୍କସିଟ୍‌ ବି ଅଛି। କିନ୍ତୁ ପାକିସ୍ତାନରେ ୧୦ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବାରୁ ଭାରତରେ ଦ୍ବାଦଶ ବୋର୍ଡ ପରୀକ୍ଷା ଦେବାରେ ଯୋଗ୍ୟତା ତାଙ୍କର ନାହିଁ ବୋଲି କହିଛନ୍ତି କର୍ତ୍ତୃପକ୍ଷ।

ଡାକ୍ତର ହେବାର ସ୍ବପ୍ନ ଦେଖୁଥିବା ଡାମି ଦ୍ବାଦଶ ପରୀକ୍ଷା ଦେବାରୁ ବଞ୍ଚିତ ହେବାକୁ ଯାଉଛନ୍ତି ବୋଲି ଜାଣିବା ପରେ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା। ସେ ଆଶ୍ବସନା ଦେଇ କହିଛନ୍ତି ଯେ ଏହି ପ୍ରବାସୀ ଛାତ୍ରୀ ଜଣଙ୍କୁ ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରାଯିବ। ଆବଶ୍ୟକ ପଡ଼ିଲେ ଗେହଲଟ ସରକାର ନିୟମ ବଦଳାଇବେ। ସେ ଆହୁରି ବି କହିଛନ୍ତି ଯେ ଡାମିଙ୍କ ସିଲାବସ୍‌ର ସଂପୂର୍ଣ୍ଣ ତଥ୍ୟ ପାଇଁ ପାକିସ୍ତାନୀ ଦୂତାବାସକୁ ଏକ ପତ୍ର ମଧ୍ୟ ଲେଖାଯାଇଛି।

ସମ୍ବନ୍ଧିତ ଖବର