ନୂଆଦିଲ୍ଲୀ : ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ସିଏଜି (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ)ଙ୍କ କାର୍ଯ୍ୟାଳୟକୁ କୌଣସି ହିସାବ ଦେବାକୁ ଚାହୁନାହାନ୍ତି। ତା’ ବଦଳରେ ଗେହଲଟ ସରକାର ନିଜର ଏକ ସ୍ବତନ୍ତ୍ର ପେ ଆଣ୍ଡ୍ ଆକାଉଣ୍ଟସ୍ ସିଷ୍ଟମ୍ (ପିଏଓ) ଆରମ୍ଭ କରିବାକୁ ମସୁଧା କରୁଛନ୍ତି। ଏହାଦ୍ବାରା ସିଏଜି ଆଉ ରାଜ୍ୟର କୌଣସି ଆୟ-ବ୍ୟୟ, ଦରମା-ପେନସନ ଆଦିର ହିସାବ ରଖିପାରିବେ ନାହିଁ।

Advertisment

ରାଜସ୍ଥାନ ସରକାରଙ୍କ ଏଭଳି ପଦକ୍ଷେପ ନୂଆ ସାମ୍ବିଧାନିକ ସଂକଟ ସୃଷ୍ଟି କରିବାକୁ ଯାଉଛି। ରାଜସ୍ଥାନ ସରକାରଙ୍କ ଏ ପ୍ରକାର ଉଦ୍ୟମକୁ ବିରୋଧ କରି ସିଏଜି ପକ୍ଷରୁ ମୁଖ୍ୟ ଶାସନ ସଚିବ ଉଷା ଶର୍ମାଙ୍କ ପାଖକୁ ଫେବ୍ରୁଆରି ୯ ତାରିଖରେ ଏକ ଚିଠି ଲେଖାଯାଇଛି। ସମ୍ବିଧାନର ଧାରା ୧୫୦ ଅନୁସାରେ ସିଏଜିଙ୍କ ପରାମର୍ଶ ଅନୁସାରେ ରାଷ୍ଟ୍ରପତି ଯେମିତି ଚାହିବେ କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କର ହିସାବ ସେହିପରି ଭାବେ ରଖାଯିବ। ସବୁ ରାଜ୍ୟ ଗୋଟିଏ ପ୍ରକାର ଟ୍ରେଜେରି ବ୍ୟବସ୍ଥାର ଅନୁସରଣ କରୁଛନ୍ତି। ଏଥିରେ କୌଣସି ପରିବର୍ତ୍ତନ କରାଗଲେ ସରକାରୀ ହିସାବଗୁଡ଼ିକର ଏକତ୍ରୀକରଣ, ପ୍ରସ୍ତୁତି ଓ ରିପୋର୍ଟିଂ ବିଶୃଙ୍ଖଳିତ ହେବ। ତେଣୁ ପ୍ରଚଳିତ ଟ୍ରେଜେରି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ନ କରିବା ପାଇଁ ସିଏଜି ତାଗିଦ କରିଛନ୍ତି। ସେ ପୁଣି କହିଛନ୍ତି ଯେ ଏଥିରେ କୌଣସି ପରିବର୍ତ୍ତନ କରିବାକୁ ହେଲେ ସମ୍ବିଧାନ ଅନୁଯାୟୀ ପ୍ରଥମେ ସିଏଜିଙ୍କ ପରାମର୍ଶ ଓ ରାଷ୍ଟ୍ରପତିଙ୍କ ଅନୁମୋଦନ ନେବାକୁ ପଡ଼ିବ।