ରାଜସ୍ଥାନରେ କ୍ଷମତା ଦଖଲ ବିଜେପି ପାଇଁ ଏତେ ସହଜ ନୁହେଁ

ନୂଆଦିଲ୍ଲୀ: ରାଜସ୍ଥାନର ସାମ୍ପ୍ରତିକ ରାଜ‌ନୈତିକ ପରିସ୍ଥିତିର ତୁଳନା ଏବେ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ସହ କରାଯାଉଛି। ଏହି ଦୁଇ ରାଜ୍ୟରେ ବିଜେପି କଂଗ୍ରେସକୁ କ୍ଷମତାଚ୍ୟୁତ କରିବାରେ ଯେଭଳି ସଫଳ ହୋଇଥିଲା ସେଭଳି ସଫଳତା ରାଜସ୍ଥାନରେ ଦୋହରାଇବା ଏତେ ସହଜ ନ‌ୁହେଁ। ସଂଖ୍ୟା ଖେଳରେ ବିଜେପି ପାଇଁ ରାଜସ୍ଥାନ ଏହି ଦୁଇ ରାଜ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା ଏବଂ ଅଶୋକ ଗେହଲଟ୍‌ଙ୍କ ନେତୃତ୍ବରେ କଂଗ୍ରେସ ସ୍ଥିତି ଏବେ ବି ସୁଦୃଢ଼ ରହିଛି। କର୍ଣ୍ଣାଟକ ଏବଂ ମଧ୍ୟପ୍ରଦେଶରେ କଂଗ୍ରେସ ଏବଂ ବିଜେପି ବିଧାୟକଙ୍କ ସଂଖ୍ୟାରେ ବହୁତ କମ୍‌ ଫରକ ରହିଥିଲା। କିନ୍ତୁ ରାଜସ୍ଥାନରେ ସ୍ଥିତି ଅଲଗା ରହିଛି ଏବଂ ୧୨୩ ବିଧାୟକଙ୍କ ସମର୍ଥନ ହାସଲ କରି ଗେହଲଟ୍‌ ସରକାର ଗଠନ କରିଥିଲେ। କଂଗ୍ରେସ ପାର୍ଟିର ୧୦୭, ସ୍ବାଧୀନ ୧୩ , ବିଟିପି (ଭାରତୀୟ ଟ୍ରାଇବାଲ୍‌ ପାର୍ଟି) ୨ ଏବଂ ଆରଏଲ୍‌ଡିର ଜଣେ ବିଧାୟକଙ୍କୁ ନେଇ ମେଣ୍ଟ ସରକାର ଗଠନ ହୋଇଥିଲା।

ଏହା ବ୍ୟତୀତ ସିପିଏମ୍‌ର ଦୁଇଜଣ ବିଧାୟକଙ୍କ ସମର୍ଥନ ମଧ୍ୟ କଂଗ୍ରେସକୁ ମିଳୁଛି। ତେବେ ସଚିନ ପାଇଲଟ୍‌ଙ୍କ ବିଦ୍ରୋହ ପରେ ଏହି ସଂଖ୍ୟା ଖସିଥିଲେ ମଧ୍ୟ ସରକାର ଭାଙ୍ଗିଯିବା ଭଳି ସ୍ଥିତି ସ୍ପଷ୍ଟ ହୋଇନାହିଁ। ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ୧୦୭ ବିଧାୟକ ଯୋଗ ଦେଇଥିଲେ ବୋଲି ଦାବି କରାଯାଇଛି। କିନ୍ତୁ ଯଦି ପାଇଲଟ ଗୋଷ୍ଠୀ ଦଳରୁ ଅଲଗା ହୋଇ ବିଜେପି ସହିତ ହାତ ମିଳାଇ କ୍ଷମତା ଅକ୍ତିଆର କରିବାକୁ ଚାହିବେ ତାହେଲେ ବହୁ ସଂଖ୍ୟାରେ କଂଗ୍ରେସ ବିଧାୟକ ଗେହଲଟ୍‌ଙ୍କ ହାତ ଛାଡ଼ିଦେବେ। ଗେହଲଟ୍‌ ଗୋଷ୍ଠୀର କିଛି ବିଧାୟକଙ୍କ ନଜର ଏବେ ରାଜଭବନ ଉପରେ ରହିଛି। ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାପାଇଁ ଦାବିକୁ ଯଦି ରାଜ୍ୟପାଳ ଗ୍ରହଣ କରିନେବେ ତାହାଲେ ଖେଳ ଓଲଟିଯିବା ସମ୍ଭାବନା ରହିଛି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ଏବେ ବିଜେପିର ୭୨ ବିଧାୟକ ଏବଂ ଏହାର ସହଯୋଗୀ ଆରଏଲ୍‌ପିର ୩ ଜଣ ବିଧାୟକ ରହିଛନ୍ତି। ତେବେ ଅନ୍ୟ ସ୍ବାଧୀନ ଏବଂ ଗେହଲଟ୍‌ ଗୋଷ୍ଠୀର କେତେ ବିଧାୟକଙ୍କ ସମର୍ଥନ ହାସଲ ହେବ ସେନେଇ ସ୍ଥିତି ଆଦୌ ସ୍ପଷ୍ଟ ନଥିବାରୁ ବିଜେପି ପାଇଁ ଏଠାରେ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ସ୍ଥିତି ଦୋହରାଇବା ସହଜସାଧ୍ୟ ହେବନି। ସରକାର ଗଠନ ପାଇଁ ରାଜସ୍ଥାନରେ ୧୦୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ।

ସମ୍ବନ୍ଧିତ ଖବର