ଜୟପୁର: ରାଜସ୍ଥାନରେ ନିର୍ବାଚନୀ ତାତି ଜୋର ଧରିଥିବା ବେଳେ ସୋମବାର ସ୍ବାଧୀନ ବିଧାୟକ ଓମ୍ ପ୍ରକାଶ ହୁଦଲା ଦୌସାଠାରେ ଏକ ମୋଚି ଦୋକାନରେ ବସି ଲୋକଙ୍କ ଜୋତା ପଲିସ କରୁଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଭିଡ଼ିଓରେ ହୁଦଲା ବେକରେ ଏକ ଫୁଲମାଳ ପକାଇ ବୟସ୍କ ଲୋକମାନଙ୍କ ଜୋତା ପଲିସ କରି ସେମାନଙ୍କୁ ଜୋତା ପିନ୍ଧାଇ ଦେଉଥିବା ଦେଖିବାକୁ ମିଳୁଛି। ଆଉ ଜଣେ ଲୋକ ହୁଦଲାଙ୍କ ଉପରକୁ ଗୋଲାପ ପାଖୁଡ଼ା ପକାଉଛନ୍ତି।
୨୦୧୮ରେ ମଧ୍ୟ ହୁଦଲା ସମାନ କାମ କରି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ। ଦୌସା ନିର୍ବାଚନମଣ୍ଡଳୀ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ଜିତିଥିଲେ। ହୁଦଲା ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ସେ ଭୋଟର ଓ କର୍ମୀମାନଙ୍କ ଜୋତା ପିଲିସ କରି ସେମାନଙ୍କୁ ଜଣାଇଦେବାକୁ ଚାହାନ୍ତି ଯେ, ବିଧାୟକମାନେ ହେଉଛନ୍ତି ଜନତାଙ୍କ ସେବକ, ମୁନିବ ନୁହନ୍ତି। ହୁଦଲା କହିଛନ୍ତି, ମୁଁ ଆଗରୁ ଏହା କରିଥିଲି, ଆଜି କରୁଛି ଓ ଆଗକୁ ବି କରିବି। ଗାନ୍ଧୀ ଜୟନ୍ତୀ ଅବସରରେ ହୁଦଲା ସୋମବାର ଏକ ହସ୍ପିଟାଲ ବାହାରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଆଗକୁ ଚଳିତ ବର୍ଷ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।