ରାଜସ୍ଥାନ ସଙ୍କଟ : ବିଦ୍ରୋହୀ ବିଧାୟକଙ୍କ ସହ ସଂପର୍କରେ ଗେହଲଟ୍‌ ଗୋଷ୍ଠୀ, ସରକାର ବଞ୍ଚା‌ଇବାକୁ ଲଢ଼େଇ ଜାରି

ବିଜେପି ସହ ପାଇଲଟ ସଂପର୍କ ଛିନ୍ନ କରନ୍ତୁ: ସୁର୍ଯେୱାଲା
ପାଇଲଟ୍‌ ଘୋଡ଼ା ବେପାରରେ ସଂପୃକ୍ତ ଥିଲେ: ଗେହଲଟ

ଜୟପୁର : ରାଜସ୍ଥାନ ରାଜନୈତିକ ସଙ୍କଟରେ ଘଡ଼ିକେ ଘୋଡ଼ା ଛୁଟୁଛି। ସଚିନ ପାଇଲଟ ୧୮ ଜଣ ବିଧାୟକଙ୍କ ସମର୍ଥନରେ ବିଦ୍ରୋହୀ ଭାବେ ଅବତୀର୍ଣ୍ଣ ହେବାପରେ ଏବେ ଗେହଲଟ୍‌ ଗୋଷ୍ଠୀ ସରକାର ବଞ୍ଚାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ପାଇଲଟ୍‌ଙ୍କ ବିରୋଧରେ ଗତକାଲି ଦଳୀୟ କାର୍ଯ୍ୟାନୁଷ୍ଠାନ ପରେ ଆଜି ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଜି କେତେ ଜଣ ବିଦ୍ରୋହୀ ବିଧାୟକଙ୍କ ସହ ଯୋଗାଯୋଗ କରିଛନ୍ତି। ବାଚସ୍ପତିଙ୍କ ପକ୍ଷରୁ ମଧ୍ୟ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଚେତାବନୀ ଦେଇ ନୋଟିସ ଦିଆଯିବା ପରେ ବିଦ୍ରୋହୀ ବିଧାୟକମାନେ ନରମୁଛନ୍ତି। ଗେହଲଟ କ୍ୟାମ୍ପ୍‌ରୁ ମିଳିଥିବା ସୂଚନା ମୁତାବକ ଆଜି ରାତିରେ କେତେକ ବିଦ୍ରୋହୀ ବିଧାୟକ ଫେରିପାରନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ଯଦି ସଚିନ ପାଇଲଟ୍‌ ବିଜେପିରେ ସାମିଲ ହେବାକୁ ଚାହୁନାହାନ୍ତି ତା’ହେଲେ ବିଜେପି ସହିତ ତାଙ୍କୁ ସବୁ ଭିତିରି ସଂପର୍କ ତୁଟାଇବାକୁ ପଡ଼ିବ। ବିଜେପିର କଥାରେ ପଡ଼ି ପାଇଲଟ୍‌ ସରକାର ବିରୋଧରେ ବିଦ୍ରୋହ କରିଥିବାରୁ ଏବେ ବିଜେପି ସହ ସେ କଥାବାର୍ତ୍ତା ବନ୍ଦ କଲେ ହିଁ ଆଗକୁ ରାସ୍ତା ଖୋଲିବ ବୋଲି ସୂର୍ଯ୍ୟୱାଲା କହିଛନ୍ତି। ସଚିନ ପାଇଲଟ୍‌ ଦଳ ପାଇଁ ବହୁତ ପରିଶ୍ରମ କରିଛନ୍ତି, କିନ୍ତୁ ନିଷ୍ଠା ଦେଖାଇ ନାହାନ୍ତି ବୋଲି ସେ କହିଛନ୍ତି। ପାଇଲଟ ହରିୟାଣା ରିସୋର୍ଟ ଛାଡ଼ି ଜୟପୁର ଫେରି ଆଲୋଚନା ଆରମ୍ଭ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ପାଇଲଟ୍‌ ଘୋଡ଼ା ବେପାରରେ ସଂପୃକ୍ତ ଥିଲେ: ଗେହଲଟ
ଜୟପୁର : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି ପୁଣି ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ୍‌ଙ୍କ ବିରୋଧରେ ଗର୍ଜିଛନ୍ତି। ପାଇଲଟ୍‌ ବିଜେପି ସହ ଘୋଡ଼ା ବେପାରରେ ସମ୍ପୃକ୍ତ ଥିଲେ ଏବଂ ଏହାର ପ୍ରମାଣ ତାଙ୍କ ପାଖରେ ରହିଛି ବୋଲି ଗେହଲଟ କହିଛନ୍ତି। ପାଇଲଟଙ୍କୁ କଟାକ୍ଷ କରି ସେ କହିଛନ୍ତି ଯେ କେବଳ ଭଲ ଇଂରାଜୀ କହିବା, ଭଲ୍‌ ବାଇଟ୍‌ ଦେବା ଏବଂ ସୁନ୍ଦର ଦେଖାଯିବା ସବୁକିଛି ନୁହେଁ। ନିଜର ପ୍ରତିବଦ୍ଧତା ଏବଂ ବିଚାରଧାରାକୁ ସମ୍ମାନ ଦେଇ କାର୍ଯ୍ୟ କରିବାକୁ ହେବ ବୋଲି ସେ କହିଛନ୍ତି। ଗେହଲଟ୍‌ ଆଜି ଗଣମାଧ୍ୟମକୁ କହିଛନ୍ତି, ପୂର୍ବତନ ପିସିସି ସଭାପତି ବିଜେପି ସହ ମିଶି ସରକାର ଭାଙ୍ଗିବାପାଇଁ ଷଡ଼ଯନ୍ତ୍ର କରିଥିଲେ। ଘୋଡ଼ା ବେପାର ପାଇଁ ବିଧାୟକମାନଙ୍କୁ ଅନେକ ଥର ହୋଟେଲ୍‌ରେ ରଖାଯାଇଛି। ନିକଟ‌ରେ ମଧ୍ୟ ବିଧାୟକମାନଙ୍କୁ ୧୦ ଦିନ ହୋଟେଲ୍‌ରେ ରଖାଯାଇଥିଲା। ଯଦି ତାହା ହୋଇନଥାନ୍ତା ତେବେ ମନେସର ପରି ଘଟଣା ଏଠାରେ ମଧ୍ୟ ଘଟିଥାନ୍ତା। ଗେହଲଟ୍‌ କହିଛନ୍ତି, ବର୍ତ୍ତମାନର ପିଢ଼ିଙ୍କର ଧୈର୍ଯ୍ୟ ନାହିଁ। ସେ ୪୦ ବର୍ଷ ଧରି ରାଜନୀତିରେ ଅଛନ୍ତି। ନୂଆ ପିଢ଼ିଙ୍କୁ ସେ ଭଲ ପାଆନ୍ତି। ସେମାନଙ୍କୁ କେନ୍ଦ୍ର ମନ୍ତ୍ରୀ , ରାଜ୍ୟ ସଭାପତି କରାଗଲା। ସେମା‌ନେ ଏହା ବୁଝିବା ଉଚିତ୍‌। ଅନ୍ୟପ‌କ୍ଷେ ପାଇଲଟ୍‌ କହିଛନ୍ତି ଗେହଲଟ୍‌ ଏବଂ ତାଙ୍କ ବିଶ୍ବସ୍ତମାନେ ତାଙ୍କ ବିରୋଧରେ ଚକ୍ରାନ୍ତ କରିଥିଲେ।

ସମ୍ବନ୍ଧିତ ଖବର