ନୂଆଦିଲ୍ଲୀ: ସଚିନ୍ ପାଇଲଟ୍ଙ୍କ ନେତୃତ୍ବାଧୀନ ୧୯ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଜାରି କରିଥିବା ହାଇକୋର୍ଟଙ୍କ ରାୟ ବିରୋଧରେ ରାଜସ୍ଥାନ ବିଧାନସଭା ବାଚସ୍ପତି କରିଥିବା ଆବେଦନର ଶୁଣାଣି ସୋମବାର ପୂର୍ବାହ୍ନ ୧୧ଟା ବେଳେ ସୁପ୍ରିମ୍ କୋର୍ଟର ତିନିଜଣ ବିଚାରପତି କରିବେ। ଶନିବାର ସନ୍ଧ୍ୟାରେ ସୁପ୍ରିମ୍ କୋର୍ଟ ଜାରି କରିଥିବା ମାମଲା ତାଲିକାରୁ ଏହା ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ତାଙ୍କ ବିରୋଧରେ ବିଦ୍ରୋହ କରିଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ଙ୍କ ମଧ୍ୟରେ ଲାଗିଥିବା ରାଜନୈତିକ କନ୍ଦଳରେ ଏହି ଆଇନ୍ ଯୁଦ୍ଧର ମଧ୍ୟ ଗୁରୁତ୍ବ ରହିଛି।
ଅଯୋଗ୍ୟତା ନୋଟିସ୍ ଉପରେ ରହିତାଦେଶ ଜାରି କରି ମଙ୍ଗଳବାର ଦିନ ରାଜସ୍ଥାନ ହାଇକୋର୍ଟ କହିଥିଲେ ଯେ, ସଚିନ ପାଇଲଟ୍ଙ୍କ ନେତୃତ୍ବରେ ଥିବା ୧୯ଜଣ ବିଧାୟକଙ୍କ ପ୍ରତି ଜାରି ହୋଇଥିବା ଅଯୋଗ୍ୟ ନୋଟିସ୍ ଉପରେ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବାଚସ୍ପତି କୌଣସି ନିଷ୍ପତ୍ତି ଗ୍ରହଣ ନ କରନ୍ତୁ।
/sambad/media/post_attachments/wp-content/uploads/2020/07/Rajasthan-crisis-Speaker-challenges-Rajasthan-High-Court-order-in-Supreme.jpg)
ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ଯୋଶୀ କହିଥିଲେ ଯେ, ବିଧାନସଭା ବାଚସ୍ପତି ତାଙ୍କର ରାୟ ଶୁଣାଇବା ଆଗରୁ ନ୍ୟାୟପାଳିକା ହସ୍ତକ୍ଷେପ କରି ପାରିବେ ନାହିଁ। ଏ ସମ୍ବନ୍ଧରେ ସୁପ୍ରିମ୍ କୋର୍ଟ ପୂର୍ବରୁ ଏକାଧିକ ରାୟ ଶୁଣାଇ କହିଛନ୍ତି। ମୁଁ ମୁକାବିଲା କରିବାକୁ ଚାହୁଁନି। ବିଚାରପତିମାନଙ୍କୁ ମୁଁ ମର୍ଯ୍ୟାଦା ଦିଏ… କିନ୍ତୁ, ସେମାନଙ୍କର ଭୂମିକା ସ୍ପଷ୍ଟ କରାଯାଇଛି। କାରଣ ଦର୍ଶାଅ ନୋଟି ଜାରି କରିବାକୁ ବାଚସ୍ପତିଙ୍କର ପୂର୍ଣ୍ଣ କ୍ଷମତା ରହିଛି। ତେଣୁ, ସୁପ୍ରିମ୍ କୋର୍ଟରେ ଏସ୍ଏଲ୍ପି ଫାଇଲ୍ କରିବାକୁ ମୁଁ ମୋର ଓକିଲଙ୍କୁ କହିଛି।
ହାଇକୋର୍ଟଙ୍କ ରହିତାଦେଶ ନାକଚ କରାଇବା ନିମନ୍ତେ ସୁପ୍ରିମ କୋର୍ଟଙ୍କ ସୋମବାର ଶୁଣାଣି ହେଉଛି ବାଚସ୍ପତି ଯୋଶୀଙ୍କର ଦ୍ବିତୀୟ ଉଦ୍ୟମ। ହାଇକୋର୍ଟଙ୍କ ରହିତାଦେଶ ଖାରଜ କରିବା ନିମନ୍ତେ ଏ ସପ୍ତାହରେ ଯୋଶୀ କରିଥିବା ପ୍ରାଥମିକ ଅନୁରୋଧକୁ ସୁପ୍ରିମ୍ କୋର୍ଟ ଗ୍ରହଣ କରିବାକୁ ଅଗ୍ରାହ୍ୟ କରିଦେଇଥିଲେ।