ରାଜସ୍ଥାନ ରାଜନୀତି ସରଗରମ, ବିଧାୟକଙ୍କୁ ରିସୋର୍ଟ ପଠାଇଲା କଂଗ୍ରେସ

ବିଜେପି ବିରୋଧରେ ବର୍ଷିଲେ ଗେହଲଟ୍‌, ୨୫ କୋଟି ଦେଇ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଚାହୁଛି ବିଜେପି

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଶାସକ କଂଗ୍ରେସ ଏବଂ ବି‌ରୋଧୀ ଦଳ ବିଜେପି ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ରାଜସ୍ଥାନରେ ଘୋଡ଼ା ବେପାର ଭୟରେ କଂ‌ଗ୍ରେସ ଏହାର ବିଧାୟକଙ୍କୁ ଜୟପୁରର ଏକ ରିସୋର୍ଟକୁ ପଠାଇ ଦେଇଛି। ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଆଜି ବିଜେପି ଉପରେ ବର୍ଷିଛନ୍ତି ଏବଂ ତାଙ୍କ ସରକାର ଭାଙ୍ଗିବାକୁ ବିଜେପି ଅର୍ଥ ବଳରେ ବଡ଼ ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି। ବିଜେପି କଂଗ୍ରେସ ବିଧାୟକଙ୍କୁ କିଣିବାପାଇଁ ଏବଂ ସେମାନଙ୍କୁ ଦଳ ଛାଡ଼ିବାପାଇଁ ରାଜି କରାଇବାକୁ ୨୫ କୋଟି ଟଙ୍କା ଯାଚୁଛି। କିଛି ମାସ ପୂ‌ର୍ବେ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥ‌ିଲେ। ପରେ ପରେ ଅନ୍ୟ ବିଧାୟକମାନେ ମଧ୍ୟ ଦଳ ଛାଡ଼ିବାପରେ କମଳନାଥ ସରକାର ଭାଙ୍ଗି ଯାଇଥିଲା। ‌ଏବେ ଗେହଲଟ ସରକାର ରାଜସ୍ଥାନରେ ମଧ୍ୟ ଏଭଳି ସ୍ଥିତିର ସମ୍ମୁଖୀନ ହେବା ‌ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ବିଜେପି ରାଜସ୍ଥାନ ସରକାର ଭାଙ୍ଗିଦେବାପାଇଁ ଉଦ୍ୟମ କରୁଛି ବୋଲି ରାଜସ୍ଥାନ କଂଗ୍ରେସ ପକ୍ଷରୁ ଦାବି ହୋଇଛି। ଗେହଲଟ୍‌ କହିଛନ୍ତି ମଧ୍ୟପ୍ରଦେଶ ପରି ବିଜେପି ରାଜସ୍ଥାନରେ ମଧ୍ୟ ସମାନ ଯୋଜନା କରିଛି। ଦଳ ବଦଳାଇବାପାଇଁ ବିଧାୟକଙ୍କୁ ‌ଏହା ୨୫ କୋଟି ଅଫର୍‌ କରିଛି। ଏନେଇ ଆଗୁଆ ୧୦ କୋଟି ମିଳିସାରିଛି ବୋଲି ଗେହଲଟ୍‌ କହିଛନ୍ତି।‌ ଗୁଜରାଟ ଏବଂ ରାଜସ୍ଥାନରେ ଘୋଡ଼ା ବେପାର କାର୍ଯ୍ୟ ସରିନଥିବାରୁ ବିଜେପି ଜାଣିଶୁଣି ରାଜ୍ୟସଭା ନିର୍ବାଚନ ସ୍ଥଗିତ ରଖିଥିଲା ବୋଲି ଗେହଲଟ୍‌ କହିଛନ୍ତି।

କଂଗ୍ରେସ ଏକ ରୁଦ୍ଧଦ୍ବାର ବୈଠକ ପାଇଁ ଏହାର ବିଧାୟକମାନଙ୍କୁ ଜୟପୁର ରିସୋର୍ଟ ପଠାଇବାର ମାତ୍ର କିଛି ସମୟ ପରେ ଗେହଲଟ୍‌ ଏଭଳି ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ବିଧାୟକମାନଙ୍କ ସହ କଂଗ୍ରସର ଏହି ରୁଦ୍ଧଦ୍ବାର ବୈଠକରେ ନୂଆଦିଲ୍ଲୀରୁ ଦଳୀୟ ନେତାମାନେ ମଧ୍ୟ ଯୋଗ ଦେବେ। କଂଗ୍ରେସ ନିଜ ବିଧାୟକଙ୍କ ସହ କିଛି ସ୍ବାଧୀନ ବିଧାୟକଙ୍କୁ ମଧ୍ୟ ଶିବ ବିଳାସ ରିସୋର୍ଟକୁ ପଠାଇଛି। ମୋଟ ୧୧୦ ବିଧାୟକଙ୍କୁ କଂଗ୍ରେସ ରିସୋର୍ଟରେ ରଖାଇଥିବା ବେଳେ ରିସୋର୍ଟ ବାହାରେ ପ୍ରାୟ ୫୦ ପୁଲିସ ସାଧା ପୋଷାକରେ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର