ସିକର: ଗତଶନିବାର ମଧ୍ୟରାତ୍ରିରେ ରାଜସ୍ଥାନର ସିକର ଜିଲ୍ଲାରେ ଅନେକ ସ୍ଥାନରେ ପ୍ରାୟ ୧୦ ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା ।
ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଶନିବାର ରାତି୧୧ଟା ୪୫ ମିନିଟରେ ହଠାତ୍ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ରେକର୍ଡ କରାଯାଇଛି ।ଏହି ଭୂକମ୍ପର କେନ୍ଦ୍ର ସିକରଠାରୁ ୧୫ କିଲୋମିଟର ଦୂର ବୋଲି କୁହାଯାଉଛି।
ଜୟପୁରର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ରାଧେଶ୍ୟାମ ଶର୍ମାଙ୍କ ଅନୁଯାୟୀ, ସିକରରେ ହୋଇଥିବା ଭୂକମ୍ପର କେନ୍ଦ୍ର ଦେବଗଡ ସିକର ଥିଲା । ସିକର ବାସିନ୍ଦା ଖାଇପିଇ ଶୋଇବାକୁ ଯାଉଥିବା ବେଳେ ରାତିପ୍ରାୟ ୧୧.୪୫ରେ କିଛି ସ୍ଥାନ ଥରି ଉଠିଥିଲା। ଭୂକମ୍ପ ଭୂକମ୍ପ ବୋଲି ଲୋକେ ଚିତ୍କାର କରି ଭୟରେ ଯିଏ ଯେଉଁ ସ୍ଥାନରେ ଥିଲେ ଖୋଲାସ୍ଥାନକୁ ଦୌଡ଼ି ଆସିଥିଲେ।
ଏହି ଭୂକମ୍ପର ପ୍ରଭାବ ସିକରର ଖାଟୁଶ୍ୟାମ ଜି, ରିଙ୍ଗସ୍, ପଚାର, ଦାନ୍ତାରାମଗଡ଼ରେ ଅନୁଭୂତ ହୋଇଥିଲା। ସୌଭାଗ୍ୟବଶତଃ ଏହି ଭୂକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନଥିବା ସୂଚନା ମିଳିଛି।
ଏହିପରି ଭୂକମ୍ପକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ଦିନରେ ପଶ୍ଚିମ ରାଜସ୍ଥାନରେ ଏଭଳି ଭୂକମ୍ପ ପୁଣି ଘଟିବ। ଏହାପୂର୍ବରୁ ୨୦୨୩ ଫେବୃଆରି ୧୮ ତାରିଖ ଦିନ ସକାଳ ୦୮.୧ ରେ ସିକରରେ ଭୂକମ୍ପ ଅନୁଭୂତ ହୋଇଥିଲା।