ନୂଆଦିଲ୍ଲୀ: ରାଜସ୍ଥାନର କୋଟାରେ ଦୁଇ ଶିକ୍ଷକ କରିଥିବା କାମକୁ ନେଇ ବିବାଦ ଆରମ୍ଭ ହୋଇଛି। ପ୍ରଶିକ୍ଷଣ ଶିବରରେ ଦୁଇ ଶିକ୍ଷକ ନାଗିନ୍ ନାଚ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏଭଳି ଭୁଲ ପାଇଁ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଛି। ପ୍ରଶାସନ ନଜରକୁ ଏଭଳି ଭିଡିଓ ଆସିବା ପରେ ନାଚର ଆୟୋଜନ କରିଥିବା ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି କି, ଜଣେ ମହିଳା ଓ ପୁରୁଷ ଶିକ୍ଷକ ମିଶି ନାଗିନ୍ ନାଚ ନାଚୁଛନ୍ତି। ଅନ୍ୟ ସବୁ ଶିକ୍ଷକମାନେ ଚାରି ପାଖେ ଠିଆ ହୋଇ ତାଳି ମାରୁଥିବାର ଦେଖାଯାଇଛି। ଜାଲୋର ଜିଲ୍ଲା ଶିକ୍ଷା ଅଧିକାରୀ ଅଶୋକ ରୋଏଶୱାଲଙ୍କ କହିବା ମୁତାବକ, ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ନାଚର ଆୟୋଜନ କରିଥିବା ଶିକ୍ଷକଙ୍କୁ ଆମେ ନିଲମ୍ବିତ କରିଛୁ। ଏହା ସହ ଅନ୍ୟ ଦୁଇ ଶିକ୍ଷକଙ୍କୁ ଆମେ କାରଣ ଦର୍ଶାଅ ନୋଟିସ ଜାରି କରିଛୁ। କାରଣ ଯେହେତୁ ଦୁହେଁ ନୂଆ, ସେମାନଙ୍କୁ ନିୟମ ବିଷୟରେ ବିଶେଷ କିଛି ଜଣା ନାହିଁ। ନାଚର ଆୟୋଜନ କରିବାରେ କୌଣସି ସମସ୍ୟା ନାହିଁ। କିନ୍ତୁ ଏ ନେଇ ରହିଥିବା ବ୍ୟବହାରିକ ନିୟମାବଳୀକୁ ମାନିବା ନିହାତି ଦରକାର ବୋଲି ସେ କହିଛନ୍ତି। କିଛି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏଭଳି ନିଷ୍ପତ୍ତିକୁ ସମର୍ଥନ କରିଥିବା ବେଳେ କିଛି ଏହାକୁ ବିରୋଧ କରିଛନ୍ତି।