ମଙ୍ଗଳବାର ଖୋଲିବ ରାଜସ୍ଥାନର ପ୍ରଥମ ତୈଳ ବିଶୋଧନାଗାର

ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନର ପ୍ରଥମ ତୈଳ ବିଶୋଧନାଗାର ଆସନ୍ତା ମଙ୍ଗଳବାରଦିନ କାର୍ଯକ୍ଷମ ହେବ । ବାର୍ମେର ଜିଲ୍ଲାର ପଚପଦ୍ରାଠାରେ ନିର୍ମିତ ଏହି ବିଶୋଧନାଗାରକୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ସେ ଏହି ଅବସରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ରାଜସ୍ଥାନରେ ପ୍ରଚୁର ପରିମାଣର ତୈଳ ଏବଂ ଗ୍ୟାସ ମହଜୁଦ ରହିଛି । ତେବେ ରାଜସ୍ଥାନ ବିଶୋଧନାଗାର ରାଜ୍ୟ ପାଇଁ ପ୍ରଥମ ହେବ । ଏହି ବିଶୋଧନାଗାର ବାର୍ଷିକ ୯ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ସମନ୍ଵିତ ରିଫାଇନେରୀ ଓ ପେଟ୍ରୋରସାୟନ କମ୍ପ୍ଲେକ୍ସର ଅଂଶବିଶେଷ । ବିଶୋଧନାଗାରରୁ ମିଳିବାକୁ ଥିବା ଉତ୍ପାଦ ଅତ୍ୟାଧୁନିକ ବିଏସ-୬ ଅଙ୍ଗାରକ ଉତ୍ସର୍ଜନ ମାନଦଣ୍ଡ ଅନୁରୂପ ହେବ । ହିନ୍ଦୁସ୍ତାନ ପେଟ୍ରୋଲିୟମ ନିଗମ ଏବଂ ରାଜସ୍ଥାନ ସରକାରଙ୍କ ମିଳିତ ଉଦ୍ୟମରେ ନିର୍ମିତ ହେଉଥିବା ଏହିସମନ୍ଵିତ ଯୌଥ ପ୍ରକଳ୍ପ ପାଇଁ ୪୩,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

କେନ୍ଦ୍ର ତୈଳମନ୍ତ୍ରଣାଳୟ ଆସନ୍ତା ୨୦୪୦ ସୁଦ୍ଧା ଦେଶର ମୋଟ ତୈଳ ବିଶୋଧନ କ୍ଷମତାକୁ ଦୁଇଗୁଣିତ କରି ୬୦୦ ନିୟୁତ ଟନରେ ପହଞ୍ଚାଇବାକୁ ଯୋଜନା କରୁଛି । ଏହି ଯୋଜନାକୁ ସଫଳ କରିବାକୁ ହେଲେ ପ୍ରତି ଦୁଇ ତିନି ବର୍ଷରେ ୨୦ ନିୟୁତ ଟନ କ୍ଷମତା ଯୋଗ କରିବାହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

ସମ୍ବନ୍ଧିତ ଖବର