ଦୁଷ୍କର୍ମକୁ ନେଇ ନେତାଙ୍କ ଦାୟିତ୍ୱହୀନ ବୟାନ ଜାରି : ମୋବାଇଲ ଫୋନ,ଟିଭି ଯୋଗୁଁ ଦୁଷ୍କର୍ମ ଘଟଣା ବଢୁଛି : ରାଜସ୍ଥାନ ମନ୍ତ୍ରୀ

ନୂଆଦିଲ୍ଲୀ : ଦେଶର ବିଭିନ୍ନ ଅଞ୍ଚଳରେ ହେଉଥିବା ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ଅସନ୍ତୋଷ ଥିବାବେଳେ ରାଜନେତାମାନେ ରାଜନୀତି ଛାଡିପାରୁନାହାନ୍ତି । ନେତାମାନଙ୍କ ଦାୟିତ୍ୱହୀନ ବୟାନ ଯୋଗୁଁ ଜନଅସନ୍ତୋଷ ଆହୁରି ତେଜିବାରେ ଲାଗିଛି । ରାଜସ୍ଥାନର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଭଓ୍ଵଁରଲାଲ ମେଘାଓ୍ଵଲ କହିଛନ୍ତି ଯେ ମୋବାଇଲ ଫୋନ ଓ ଟିଭି ଯୋଗୁଁ ସମାଜରେ ଦୁଷ୍କର୍ମ ମାମଲା ବଢିଚାଲିଛି । ପୂର୍ବରୁ ଟିଭି ଓ ମୋବାଇଲ ଫୋନ ନଥିବାବେଳେ ଏତେ ଦୁଷ୍କର୍ମ ହେଉନଥିଲା । ଟିଭିର ପ୍ରଭାବ ଯୋଗୁଁ ଯୁବଗୋଷ୍ଠୀ ଦୁଷ୍କର୍ମ କରୁଛନ୍ତି ବୋଲି ସେ କହିଛନ୍ତି । ଅର୍ଥାତ ମୋବାଇଲ ଫୋନ ଓ ଟିଭି ଦେଖି ସେମାନେ ଦୁଷ୍କର୍ମ କରିବାକୁ ମନ ବଳାଉଛନ୍ତି ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ରଣବେନ୍ଦ୍ର ପ୍ରତାପ ସିଂ କହିଛନ୍ତି ଯେ ସମାଜରେ ଅପରାଧକୁ ସଂପୂର୍ଣ୍ମ ଲୋପ କରିହେବ ନାହିଁ । ଏପରିକି ସ୍ୱୟଂ ଭଗବାନ ରାମ ୧୦୦ ପ୍ରତିଶତ ଅପରାଧମୁକ୍ତ ସମାଜର ଗ୍ୟାରେଣ୍ଟି ଦେଇପାରିବେ ନାହିଁ । ଉତ୍ତରପ୍ରଦେଶରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ସେ ଏହି ବକ୍ତବ୍ୟ ପ୍ରଦାନ କରିଛନ୍ତି । ତେବେ ସେ କହିଛନ୍ତି ଯେ ପୂର୍ବ ସରକାରଙ୍କ ତୁଳନାରେ ଉତ୍ତରପ୍ରଦେଶରେ ଅପରାଧ ହ୍ରାସ ପାଇଛି । ଏବେ ଯଦି ଜଣେ ଅପରାଧ କଲା ସେ ଜେଲ ଯିବା ନିଶ୍ଚିତ ।

ସମ୍ବନ୍ଧିତ ଖବର