ଆମେ ଜିତିଲେ ବାଇକରେ ୩ ଜଣ ବସିଲେ ବି ଚାଲାଣ ମାଫ୍ : ରାଜଭର୍

ଲକ୍ଷ୍ନୌ : ଗୁରୁବାର ଉତ୍ତରପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ମଙ୍ଗଳବାରଠାରୁ ପ୍ରଚାର ଶେଷ ହୋଇଛି । ତେବେ ଅନ୍ୟ ପର୍ଯ୍ୟାୟଗୁଡ଼ିକ ପାଇଁ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ସରଗରମ ନିର୍ବାଚନ ପ୍ରଚାର ଚାଲିଛି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତାମାନେ ଅଦ୍ଭୁତ ପ୍ରକାରର ପ୍ରତିଶ୍ରୁତିମାନ ଦେଇଚାଲିଛନ୍ତି ।

ଏପରି ଏକ ପ୍ରତିଶ୍ରୁତି ଦେଇଛନ୍ତି ସୁହେଲଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ଓମପ୍ରକାଶ ରାଜଭର । ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ସପା ମେଣ୍ଟ କ୍ଷମତାକୁ ଆସିଲେ ବାଇକରେ ତିନିଜଣ ବସିଲେ ବି ଚାଲାଣ କଟିବ ନାହିଁ । ଗୋଟିଏ ଟ୍ରେନ ବଗରେ ୭୦ଟି ସିଟ ଥିଲେ ବି ସେଥିରେ ୩୦୦ ଲୋକ ଯାତ୍ରା କରୁଛନ୍ତି । ସେତେବେଳେ ତ ଚାଲାଣ କଟୁନି ? ବାଇକରେ ତିନିଜଣ ବସିଲେ କାହିଁକି ଚାଲାଣ କଟୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ତାଙ୍କ ସରକାର ଆସିଲେ ଯଦି ବାଇକ ଚାଳକଙ୍କ ଉପରେ ଚାଲାଣ କଟିଲେ, ଜିପ ଓ ଟ୍ରେନ ଉପରେ ବି ଚାଲାଣ କଟିବ ବୋଲି ସେ କହିଛନ୍ତି ।

ରାଜଭର ପୂର୍ବରୁ ଯୋଗୀ ଆଦିତ୍ୟନାଥ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବାବେଳେ ଗତ ଡିସେମ୍ବର ମାସରେ ଏନଡିଏ ଛାଡ଼ି ସମାଜବାଦୀ ପାର୍ଟି ସହ ମେଣ୍ଟ କରିଥିଲେ । ସେ ଅଭିଯୋଗ କରିଛନ୍ତି ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ପ୍ରତି ବିଜେପିର କୌଣସି ସମ୍ମାନ ନାହିଁ । କୃଷକ ଓ ଛାତ୍ରମାନଙ୍କ ଉପରେ ବିଜେପି ଅତ୍ୟାଚାର କରିଛି । ଏଥିପାଇଁ ସେ ଏନଡିଏ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ।

 

 

ସମ୍ବନ୍ଧିତ ଖବର