ନୂଆଦିଲ୍ଲୀ: ଏଣିକି ଦେଶର ପ୍ରତି ରୁଟ୍ରେ ଚଳାଚଳ କରୁଥିବା ରାଜଧାନୀ ଏକ୍ସପ୍ରେସ୍ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଯାତ୍ରା କରିବ। ରେଳବିଭାଗ ପକ୍ଷରୁ ଏକ ଅତ୍ୟାଧୁନିକ ଓ୍ଵାପ-୫ ଲୋକୋମେଟିଭ୍ ଇଞ୍ଜିନ୍ରେ ସଫଳ ପରୀକ୍ଷଣ କରାଯିବା ପରେ ରେଳ ବିଭାଗ ଏହି ନିଷ୍ପତ୍ତି ନେଇଛି।
ଉଲ୍ଲେଖଯୋଗ୍ୟ, ଭାରତୀୟ ରେଳ ଗବେଷଣା ଓ ଉନ୍ନୟନ (ଆର୍ଡିଏସ୍ଓ) ପକ୍ଷରୁ ଗତ ଅକ୍ଟୋବର ଓ ନଭେମ୍ବର ମାସରେ ପ୍ରଥମେ ମୁମାଇ- ଦିଲ୍ଲୀ ରୁଟ୍ରେ ଏହି ଅତ୍ୟାଧୁନିକ ଓ୍ଵାପ-୫ ଲୋକୋମେଟିଭ୍ ଇଞ୍ଜିନ୍କୁ ପୁସ୍- ପୁଲ୍ ମୋଡ୍ରେ ଚଳାଇ ସଫଳତାର ସହ ପରୀକ୍ଷଣ ଶେଷ ହୋଇଥିଲା। ଏଥିରେ ଟ୍ରେନ୍ର ଆଗରେ ଗୋଟିଏ ଇଞ୍ଜିନ୍ ଲାଗିବା ସହ ପଛରେ ମଧ୍ୟ ଗୋଟିଏ ଇଞ୍ଜିନ୍ ଲାଗିଥିଲା। ପଛ ଇଞ୍ଜିନ୍ ଟ୍ରେନ୍କୁ ଠେଲୁ (ପୁସ୍) ଥିବା ବେଳେ ସାମନା ଇଞ୍ଜିନ୍ ଟ୍ରେନ୍କୁ ଟାଣୁ (ପୁଲ୍) ଥିଲା।
ପୂର୍ବରୁ ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ଗୁଡ଼ିକୁ ଘଣ୍ଟାପ୍ରତି ୧୩୦ କିଲୋମିଟର ବେଗରେ ଚଳା ଯାଉଥିବା ବେଳେ ଏହି ନୂଆ ବ୍ୟବସ୍ଥାରେ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଚଳାଯାଇ ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହେବାପରେ ଏହାକୁ ପ୍ରଥମେ ମୁମ୍ବାଇ-ଦିଲ୍ଲୀ ଓ ମୁମ୍ବାଇ- କୋଲକାତା ରୁଟରେ କାର୍ଯ୍ୟକାରୀ କରିବା ପାଇଁ ରେଳ ବିଭାଗ ରେଳ ମନ୍ତ୍ରାଳୟର ଅନୁମତି ମାଗିଛି। ଅନୁମତି ମିଳିଗଲେ ପ୍ରଥମେ ଏହି ଦୁଇ ରୁଟ୍ରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏବଂ ପରବର୍ତ୍ତୀ ସମୟରେ ରାଜଧାନୀ ଟ୍ରେନ୍ ଚଳାଚଳ କରୁଥିବା ଦେଶର ସମସ୍ତ ରୁଟ୍ରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ବୋଲି ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ମୁମ୍ବାଇ- ଦିଲ୍ଲୀ ରୁଟ୍ରେ ପରୀକ୍ଷଣ କାଳରେ ଯାତ୍ରା ସମୟରେ ପ୍ରାୟ ୬ ଘଣ୍ଟାର ହ୍ରାସ ପରିଲକ୍ଷିତ ହୋଇଥିଲା। ସେହିପରି, ଦେଶର ସବୁ ରୁଟ୍ରେ ରାଜଧାନୀ ଏକ୍ସପ୍ରେସ୍ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଯାତ୍ରା କଲେ ଯାତ୍ରା ସମୟ କମିଯିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।