ମୁମ୍ବାଇ: ପୁଅ ମିହିର୍ ଶାହ ପାଇଁ ପଦବୀ ହରାଇଲେ ଶିବସେନା ନେତା ରାଜେଶ ଶାହ। ୱର୍ଲି ‘ହିଟ୍ ଆଣ୍ଡ ରନ୍’ ମାମଲାର ଅଭିଯୁକ୍ତ ମିହିର ଶାହାଙ୍କୁ ମଙ୍ଗଳବାର ଗିରଫ କରିଥିଲା ପୁଲିସ। ଦୁର୍ଘଟଣା ପରଠାରୁ ସେ ଫେରାର ଥିବା ବେଳେ ୭୨ଘଣ୍ଟା ପରେ ଗିରଫ ହୋଇଥିଲେ ମିହିର୍। ଏବେ ମିହିର୍ ଗିରଫ ହେବା ପରେ ଶିବସେନା ନେତା ରାଜେଶ ଶାହଙ୍କୁ ଦଳ ବହିଷ୍କାର କରିଛି।

Advertisment

ସୂଚନା ମୁତାବକ, ରାଜେଶ ଶାହ ପାଲଘରର ଉପନେତା ଥିଲେ। ପୁଅ ଫେରାର ଥିବାରୁ ପୁଲିସ ପ୍ରଥମେ ରାଜେଶ ଶାହଙ୍କୁ ଗିରଫ କରିଥିଲା। ସୋମବାର କୋର୍ଟ ତାଙ୍କୁ ୧୪ଦିନିଆ ପୁଲିସ କଷ୍ଟଡିକୁ ପଠାଇଥିବା ବେଳେ ପରେ ତାଙ୍କୁ ଜାମିନ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ମୃତକ କାବେରୀ ଓ ତାଙ୍କ ସ୍ବାମୀ ରବିବାର ସକାଳ ୫.୩୦ ସମୟରେ ମାଛ କିଣି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। କାବେରୀଙ୍କ ସ୍ବାମୀ କହିଥିଲେ ଯେ, "ମୋ ସ୍କୁଟରର ଗତି ଖୁବ କମ ଥିଲା। ଏହି ସମୟରେ ମିହିରଙ୍କ କାରଟି ପଛରୁ ଆସି ଆମ ସ୍କୁଟରକୁ ପିଟିବାରୁ ଆମେ ଦୁହେଁ କାରର ବନେଟ ଉପରେ ପଡ଼ିଥିଲୁ। ପରେ ମୁଁ ତଳକୁ ଖସିପଡ଼ିବା ସହ ମୋ ପତ୍ନୀ ତଳକୁ ଖସି ସାମ୍ନା ଚକାରେ ଲାଖି ଯାଇଥିଲେ। ଅଭିଯୁକ୍ତ ଧକ୍କା ଦେବା ପରେ ବ୍ରେକ ମାରିଥିଲେ ବି ପରେ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲେ। ମୁଁ ତାଙ୍କୁ କାର୍ ଅଟକାଇବା ପାଇଁ ଅନୁରୋଧ କରିଥିଲେ ବି ସେ ଅଟକିନଥିଲେ। ଯଦି ସେ ଅଟକିଥାନ୍ତେ ତାହେଲେ ମୋ ପତ୍ନୀ ଆଜି ଜୀବିତ ଥାନ୍ତେ।”