ରାଜେଶ ବର୍ମା କର୍ପୋରେଟ୍‌ ବ୍ୟାପାର ସଚିବ ନିଯୁକ୍ତ

୩‌୦ରେ ଅବସର ନେବେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ଅରୁଣ ପଣ୍ଡା
ମେ’ ୩୧ରେ ଇଞ୍ଜେତି ଶ୍ରୀନିବାସଙ୍କ ଅବସର, ଉଭୟ ଓଡ଼ିଶା କ୍ୟାଡ଼ର

ନୂଆଦିଲ୍ଲୀ : କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ସଚିବ ରୂପେ କାର୍ଯ୍ୟ କରୁଥିବା ଭାରତ ସରକାରଙ୍କ ବରିଷ୍ଠ ପ୍ରାଶାସନିକ ଅଧିକାରୀ ତଥା ଓଡ଼ିଶା କ୍ୟାଡ୍‌ର ଆଇଏଏସ୍‌ ଡଃ ଅରୁଣ କୁମାର ପଣ୍ଡା ଚଳିତ ମାସ ୩୦ରେ ଅବସର ଗ୍ରହଣ କରିବେ। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌ କମିଟି ଦ୍ବାରା ଆଜି ବରିଷ୍ଠ ଅମଲାତନ୍ତ୍ର ଅଧିକାରୀମାନଙ୍କ ପଦୋନ୍ନତି ନିଯୁକ୍ତିକୁ ନେଇ ପ୍ରକାଶିତ ତାଲିକାରେ ଡଃ ପଣ୍ଡାଙ୍କ ଅବସର ପରେ ଏମ୍‌ଏସ୍‌ଏମ୍‌ଇ ସଚିବ ରୂପେ ଗୁଜରାଟ କ୍ୟାଡର ଆଇଏଏସ୍‌ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ରୂପେ କାର୍ଯ୍ୟ କରୁଥିବା ଅରବିନ୍ଦ କୁମାର ଶର୍ମା ଦାୟିତ୍ବ ନେବେ ବୋଲି ଉଲ୍ଲେଖ କରାଯାଇଛି। ସେହିପରି ଚଳିତ ମାସ ୩୦ରେ ଅବସର ନେବାକୁ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦାନକାରଙ୍କ କାର୍ଯ୍ୟକାଳକୁ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌ କମିଟି ଦ୍ବାରା ଓଡ଼ିଶା କ୍ୟାଡର ଆଇଏଏସ୍‌ ତଥା କୃଷି ସହଯୋଗିତା ତଥା କୃଷକ କଲ୍ୟାଣ ବିଭାଗରେ ସ୍ବତନ୍ତ୍ର ସଚିବ ରୂପେ କାର୍ଯ୍ୟରତ ରାଜେଶ ବର୍ମାଙ୍କୁ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟର ସଚିବ ରୂପେ ନିଯୁକ୍ତି ମିଳିଛି। ବର୍ତ୍ତମାନ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟରେ ସଚିବ ରୂପେ କାର୍ଯ୍ୟ କରୁଥିବା ଓଡ଼ିଶା କ୍ୟାଡର ଆଇଏଏସ୍‌ ଇଞ୍ଜେତି ଶ୍ରୀନିବାସଙ୍କ ମେ’ ୩୧ରେ ଅବସର ପରେ ର‌ାଜେଶ ବର୍ମା ସଚିବ ରୂପେ ଦାୟିତ୍ବ ଗ୍ରହଣ କରିବେ। ଏତଦ୍‌ବ୍ୟତୀତ କେନ୍ଦ୍ରୀୟ ସୂଚନା କମିସନର ରୂପେ କାର୍ଯ୍ୟ କରୁଥିବା ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ନୀତିନ ଚନ୍ଦ୍ରାଙ୍କୁ ବିଧି ବ୍ୟାପାର ବିଭାଗର କେନ୍ଦ୍ରୀୟ ଏଜେନ୍ସି ସେକ୍‌ସନ୍‌ରେ ସାମୟିକ ଭାବେ ପଦକୁ ଅପଗ୍ରେଡ୍‌ କରାଯାଇ ଅତିରିକ୍ତ ସଚିବ ରୂପେ ନିଯୁକ୍ତି କରାଯାଇଛି। ସେହିପରି ଗୁଜରାଟ କ୍ୟାଡରର ୧୯୮୮ ଓଡ଼ିଆ ଆଇଏଏସ୍‌ ଅଧିକାରୀ ବିଦ୍ୟୁତ୍‌ ବିହାରୀ ସ୍ବାଇଁଙ୍କୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ରୂପେ ନିଯୁକ୍ତି ପାଇଁ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌ ଅନୁମୋଦନ ପ୍ରଦାନ କରିଛି। ଶ୍ରୀ ସ୍ବାଇଁ ବର୍ତ୍ତମାନ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ବିଭାଗରେ ଅତିରିକ୍ତ ସଚିବ ରୂପେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର