ଚେନ୍ନାଇ : ତାମିଲନାଡ଼ୁ ରାଜନୀତିରେ ପାଦ ଥାପିବାକୁ ଯାଉଥିବା ସୁପର୍ଷ୍ଟାର ରଜନୀକାନ୍ତଙ୍କ ‘ଆଧ୍ୟାତ୍ମିକ ରାଜନୀତି’ ଏବଂ ‘ସବୁକିଛି ବଦଳାଇବା’ ରାଜନୀତି ଏବେ ଚର୍ଚ୍ଚାରେ ରହିଛି। ଆଧ୍ୟାତ୍ମ ଏବଂ ପରିବର୍ତ୍ତନର ମନ୍ତ୍ର ନେଇ ରାଜନୀତି ଆରମ୍ଭ କରିବାକୁ ରଜନୀକାନ୍ତଙ୍କ ରଣନୀତି ଯଦି ସଫଳ ହୁଏ ତା’ହେଲେ ଆନ୍ନାଦ୍ରମୁକର ପ୍ରତିଷ୍ଠାତା ଏମ୍ଜି ରାମଚନ୍ଦ୍ରନ (ଏମ୍ଜିଆର୍) ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ପରେ ରାଜ୍ୟରେ ରାଜନୈତିକ ସଫଳତା ହାସଲ କରିବାରେ ତୃତୀୟ ଫିଲ୍ମ ଷ୍ଟାର୍ ହେବେ। ରାଜନୀକାନ୍ତ ଏବେ ଆଧ୍ୟାତ୍ମିକ ରାଜନୀତି, ପାରଦର୍ଶିତା, ସାଧୁତା ଏବଂ ଦୁର୍ନୀତିମୁକ୍ତ ଶାସନ ଦ୍ବାରା ତାମିଲନାଡ଼ୁରେ ବଡ଼ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଥିବା କହୁଛନ୍ତି। ନିଜକୁ ଦିବଂଗତ ଏମ୍ଜିଆର୍ଙ୍କ ବହୁତ ବଡ଼ ଫ୍ୟାନ୍ ବୋଲି କହୁଥିବା ରଜନୀକାନ୍ତ ଗରିବ ଏବଂ ସାଧାରଣ ଜନତାଙ୍କ ସ୍ବାର୍ଥ ରକ୍ଷା ପାଇଁ ସୁଶାସନର ଆଶ୍ବାସନା ମଧ୍ୟ ଦେଇଛନ୍ତି। ତେବେ ରାଜନୀତିରେ ଯେଉଁ ପରିବର୍ତ୍ତନ କଥା ରଜନୀକାନ୍ତ କହୁଛନ୍ତି ସେ ସଂପର୍କରେ ବିସ୍ତୃତ ଭାବେ କିଛି କହିନାହାନ୍ତି। ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ୨୩୪ ଆନରେ ପ୍ରାର୍ଥୀ ଦେବା ପାଇଁ ରଜନୀକାନ୍ତଙ୍କ ପାଇଁ ବହୁତ ବଡ଼ ଚ୍ୟାଲେଂଜ ହେବ। ତାଙ୍କର ନୂଆ ରାଜନୈତିକ ଦଳ ପାଇଁ ଏକ ବିଶ୍ବସନୀୟ ବଡ଼ ଟିମ୍ର ଆବଶ୍ୟକତା ରହିଛି ଯାହାର କୌଣସି ରୂପରେଖ ଏ ପର୍ଯ୍ୟନ୍ତ ନାହିଁ।
ଏଭଳି ସ୍ଥିତିରେ ରାଜ୍ୟ ରାଜନୀତିରେ ଏକ ବଡ଼ ପ୍ରଭାବ ପକାଇବା ରାଜନୀକାନ୍ତଙ୍କ ପାଇଁ ଏତେ ସହଜ ହେବନାହିଁ ବୋଲି କୁହାଯାଉଛି। ରଜନୀକାନ୍ତ ଅନ୍ୟ କେଉଁ ଦଳ ସହ ନିର୍ବାଚନୀ ମେଣ୍ଟ କରିବେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ। ତେବେ ରାଜନୀକାନ୍ତଙ୍କ ନୂଆ ଦଳ ଗଠନ ଘୋଷଣାରେ ଏବେ ଡିଏମ୍କେ ଏଏଆଇଏଡିଏମ୍କେ ଚିନ୍ତିତ ରହିଛି। ରଜନୀକାନ୍ତ ତାଙ୍କର ଷ୍ଟାର୍ ପାୱାର ଦ୍ବାରା ‘ଆଧ୍ୟାତ୍ମ ରାଜନୀତି’ ଏବଂ ଏବଂ ‘ଜାତୀୟତାବାଦୀ ରାଜନୀତି’କୁ କେତେଦୂର ନେଇପାରିବେ ତାହା ଆଗାମୀ ଦିନରେ ଜଣାପଡ଼ିବ। ଗତ ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଚେନ୍ନାଇ ଗସ୍ତ ବେଳେ ଏଆଇଏଡିଏମ୍କେ ବିଜେପି ସହ ମେଣ୍ଟ କରି ଆଗାମୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଥିଲା। ତେବେ ଅନେକ ବିଜେପି ନେତା ରଜନୀକାନ୍ତଙ୍କ ସହ ସଂପର୍କରେ ଥିବା ନେଇ ଜୋର୍ସୋର ଚର୍ଚ୍ଚା ଚାଲିଥିବାରୁ ଏହା ଉପରେ ଏଆଇଏଡିଏମ୍କେ ସତର୍କ ନଜର ରଖିଛି।