ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା : ଦୋଷୀମାନଙ୍କୁ ମୁକ୍ତ କରିବାକୁ ରାଷ୍ଟ୍ରପତିଙ୍କୁ ନିବେଦନ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନାଇ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ୭ ଜଣଙ୍କୁ କ୍ଷମା ପ୍ରଦାନ ଲାଗି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ରାଷ୍ଟ୍ରପତି ରାମନାଥଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି ।
ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଆଜୀବନ କାରାଦଣ୍ଡ ଭୋଗୁଥିବା ମରୁଗନ, ନଳିନୀ, ସନ୍ଥନ, ଏଜି ପେରାରିବାଲନ, ଜୟକୁମାର, ରବର୍ଟ ପାୟସ ଓ ପି. ରବିଚନ୍ଦ୍ରନଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କରିଛନ୍ତି । ତାମିଲନାଡ଼ୁର ସବୁ ରାଜନୈତିକ ଦଳ ସେମାନଙ୍କ ମୁକ୍ତିକୁ ସମର୍ଥନ କରୁଛନ୍ତି । ସେମାନେ ଗତ ୩ ଦଶନ୍ଧୀ ଧରି କାରାଦଣ୍ଡ ଭୋଗିସାରିଲେଣି, ଏଣୁ ସେମାନଙ୍କୁ ମୁକ୍ତି ଦିଆଯ଼ାଉ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ୧୯୯୧ ମେ ୨୧ ତାରିଖରେ ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଏଲଟିଟିଇର ମାନବ ବୋମା ଧନୁର ବିସ୍ଫୋରଣରେ ରାଜୀବ ଗାନ୍ଧୀ ପ୍ରାଣ ହରାଇଥିଲେ। ଏହି ମାମଲାରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ଗତ ୨୭ ବର୍ଷ ହେଲା ସେମାନେ ଜେଲରେ ଅଛନ୍ତି। ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ ମିଳିଥିଲା। ତେବେ ସୁପ୍ରିମ କୋର୍ଟ ୨୦୧୪ରେ ସେମାନଙ୍କର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

ସମ୍ବନ୍ଧିତ ଖବର