‌ଭେଲ୍ଲୋର: ରାଜୀବ ଗାନ୍ଧି ହତ୍ୟା ମାମଲାରେ ସମସ୍ତ ୬ ଜଣ ଦୋଷୀଙ୍କୁ ଖଲାସ କରିବାପାଇଁ ସୁପ୍ରିମକୋର୍ଟ ଗତକାଲି ନିର୍ଦ୍ଦେଶ ଦେବାପରେ ଆଜି ନଳିନୀ ସମେତ ୫ ଜଣ ଦୋଷୀ ଜେଲ୍‌ରୁ ମୁକୁଳିଛନ୍ତି। ନଳିନୀ ଶ୍ରୀହରନ, ନଳିନୀର ସ୍ବାମୀ ମୁରୁଗାନ ଏବଂ ସନ୍ଥନ ଶନିବାର ସନ୍ଧ୍ୟାରେ ଜେଲ୍‌ରୁ ମୁକୁଳିଛନ୍ତି। ଦୀର୍ଘ ୩୧ ବର୍ଷ ପରେ ସେମାନେ ଜେଲ୍‌ରୁ ମୁକୁଳିଛନ୍ତି। ନଳିନୀ ତା’ ପାରୋଲ୍‌ ସର୍ତ୍ତର ଅଂଶ ଭାବେ ଆଜି ସକାଳେ ସ୍ଥାନୀୟ ଥାନା ଯାଇଥିଲା। ପରେ ସେ ଜେଲ୍‌ରୁ ମୁକୁଳିବାପାଇଁ ଭେ‌ଲ୍ଲୋର ଜେଲ୍‌ରେ ସମସ୍ତ ପ୍ରକ୍ରିୟା ଶେଷ କରିଥିଲା।

Advertisment

ଜେଲ୍‌ରୁ ମୁକୁଳିବାପରେ ନଳିନୀ ଗଣମାଧ୍ୟକୁ କହିଛି, ମତେ ଦୀର୍ଘ ୩୨ ବର୍ଷ ଥରି ସମର୍ଥନ କରିଥିବା ତାମିଲନାଡ଼ୁ ଲୋକଙ୍କ ପ୍ରତି ମୁଁ କୃତଜ୍ଞ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ମୁଁ ଏଥିପାଇଁ ଧନ୍ୟବାଦ ଜଣାଉଛି ବୋଲି ନଳିନୀ କହିଛି। ରାଜୀବ ହତ୍ୟା ମାମଲାର ଆଉ ଦୁଇ ଜଣ ଦୋଷୀ ପୁଝଲ୍‌ ଜେଲ୍‌ରୁ ମୁକୁଳିଛନ୍ତି। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ଗତକାଲି ରାଜୀବ ଗାନ୍ଧି ହତ୍ୟା ମାମଲାରେ ସମସ୍ତ ୬ ଦୋଷୀଙ୍କୁ ଖଲାସ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଖଲସ ଦୋଷୀଙ୍କ ମଧ୍ୟରେ ଚାରି ଜଣ ବିଦେଶୀ ଅଛନ୍ତି। ସେମାନେ ହେଲେ ଶ୍ରୀହରଣ ଓରଫ ମୁରୁଗାନ, ରବର୍ଟ ପାୟସ, ଜୟକୁମାର ଓ ସନ୍ଥାନ। ସେମାନଙ୍କର ଭାରତୀୟ ନାଗରିକତା ନାହିଁ। ସେମାନଙ୍କ ପସନ୍ଦକୁ ଯଦି ଗୁରୁତ୍ବ ଦିଆ ନ ଯାଏ, ତେବେ ସେମାନଙ୍କୁ ଶ୍ରୀଲଙ୍କା ପ୍ରତ୍ୟର୍ପଣ ପାଇଁ ପଦକ୍ଷେପ ନିଆଯିବ।