ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ବେଳେ ୪ ଦିନ କାନ୍ଦିିଥିଲି, ରାଜୀବ ଗାନ୍ଧୀଙ୍କ ହତ୍ୟାକୁ ନେଇ ୩ ଦିନ କାନ୍ଦିଛି: ନଳିନୀ

ନୂଆଦିଲ୍ଲୀ:  ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗୁଥିବା ନଳିନୀ ମୁକ୍ତ ହେବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ସେ ଅନେକ ଦିନ ପର୍ଯ୍ୟନ୍ତ କାନ୍ଦି ଥିଲେ। ସେ ନିଜେ କଂଗ୍ରେସ ଦଳର ହୋଇଥିବା ବେଳେ ରାଜୀବ ଗାନ୍ଧୀଙ୍କ ହତ୍ୟା ଆରୋପ ତାଙ୍କ ମୁଣ୍ଡରେ ଲାଗିିବା କଥା ତାଙ୍କୁ ବେଶି କଷ୍ଟ ଦେଇଥିଲା।

ଗତ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ନଳିନୀ ନିଜର ମତ ରଖି କହିଛନ୍ତି, ‘ମୁଁ କଂଗ୍ରେସ ପରିବାରର। ଯେବେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହୋଇଥିଲା ମୁଁ ପୂରା ଦିନ କିଛି ବି ଖାଇନଥିଲି। ଚାରି ଦିନ ପର୍ଯ୍ୟନ୍ତ କାନ୍ଦିଥିଲି। ଏପରିକି ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ମୁଁ ୩ ଦିନ ପର୍ଯ୍ୟନ୍ତ କାନ୍ଦିଥିଲି। ମାତ୍ର ମୋ ଉପରେ ତାଙ୍କୁ ହତ୍ୟା କରିବାର ଅଭିଯୋଗ ଲାଗିଲା। ମୁଁ ସେତେବେଳେ ଆରମରେ ବଞ୍ଚିପାରିବି, ଯେତେବେଳେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ପୂରାପୂରି ଭାବେ ମୋ ମୁଣ୍ଡରୁ ହଟିଯିବ।’

ସୂଚନା ଥାଉ କି ରାଜୀବ ଗାନ୍ଧୀ ମେ ୨୧, ୧୯୯୧ରେ ତାମିଲନାଡୁର ଶ୍ରୀପେରୁମୁଦୁରରେ ଏକ ନିର୍ବାଚନ ସମାବେଶରେ ଯୋଗଦେଉଥିବା ବେଳେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ। ଏହି ମହିଳାଙ୍କ ନାମ ଧନୁ ହୋଇଥିବାବେଳେ ଏହି ଘଟଣାରେ ପେରାରୀବଲନ, ମୁରୁଗାନ୍, ସନ୍ଥାନ୍ ଏବଂ ନଳିନୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ତେବେ ସୁପ୍ରିମ କୋର୍ଟ ୨୦୧୪ରେ ସେମାନଙ୍କର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

ସମ୍ବନ୍ଧିତ ଖବର