ଚାନ୍ଦା ଆକାରରେ ଚୀନ୍‌ଠାରୁ ବିପୁଳ ଅର୍ଥ ନେଇଛି ରାଜୀବ ଗାନ୍ଧି ଫାଉଣ୍ଡେସନ: ବିଜେପି

ଭୋପାଳ: ବିଜେପିର ଜାତୀୟ ସଭାପତି ଜେପି ନଡ୍ଡା ମଧ୍ୟପ୍ରଦେଶରେ ଭର୍ଚୁଆଲ ରୢାଲିକୁ ସମ୍ବୋଧନ କରି ଆଜି କଂଗ୍ରେସ ଉପରେ କଡ଼ା ପ୍ରହାର କରିଛନ୍ତି। ରାଜୀବ ଗାନ୍ଧି ଫାଉଣ୍ଡେସନ ଚାନ୍ଦା ନାମରେ ଚୀନ୍‌ଠାରୁ ମୋଟା ରକମ ନେଉଛି ବୋଲି ନଡ୍ଡା କହିଛନ୍ତି। ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ୍‌ ଦୂତାବାସ ପକ୍ଷରୁ ପ୍ରାୟ ୯୦ ଲକ୍ଷ ଟଙ୍କା ଚାନ୍ଦା ଦିଆଯାଇଛି ବୋଲି ନଡ୍ଡା କହିଛନ୍ତି। କଂଗ୍ରେସ ଏବଂ ଚୀନ୍‌ ଭିତରେ ଗୁପ୍ତ ସଂପର୍କ ରହିଛି ଏବଂ କଂଗ୍ରେସ ଏହି ମାମଲାରେ ଜବାବ ଦେବାକୁ ବାଧ୍ୟ ବୋଲି ସେ କହିଛନ୍ତି। ଚୀନ୍‌ରୁ ପାଣ୍ଠି ନେଇ କଂଗ୍ରେସ ଦେଶରେ ଚୀନ୍‌ ସପକ୍ଷରେ ବାତାବରଣ ସୃଷ୍ଟି କରିବାକୁ ଚାହୁଛି। ଡୋକଲାମ ବିବାଦ ସମୟରେ ରାହୁଲ ଗାନ୍ଧି ଚୀନ୍‌ ରାଷ୍ଟ୍ରଦୂତଙ୍କୁ ଗୁପ୍ତରେ ଭେଟିଥିଲେ।

ଏହା ପଛରେ କି ରହସ୍ୟ ଥିଲା ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି। କଂଗ୍ରେସର ବିଭାଜନକାରୀ ନୀତିର କୁପରିଣାମ ଦେଶକୁ ଭୋଗିବାକୁ ପଡ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଏକତା ଓ ଅଖଣ୍ଡତାକୁ ସୁରକ୍ଷିତ ରଖିବା ପାଇଁ ଅନେକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଜମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିଯାଇଛି। ଭାରତର ୧୦୬ଟି ଆଇନ ଏବେ ଜମ୍ମୁ କାଶ୍ମୀରରେ ଲାଗୁ ହୋଇଛି। ସୀମାରେ ଭାରତ ନିଜର ସ୍ଥିତି ସୁଦୃଢ଼ କରୁଛି ଏବଂ ଭାରତକୁ କେହି ଆଖି ଦେଖାଇଲେ ତାହାର କଡ଼ା ଜବାବ ଦିଆଯାଇଛି। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମଧ୍ୟ କହିଛନ୍ତି ଯେ କଂଗ୍ରେସ ବିଦେଶୀ ଶକ୍ତିଙ୍କଠାରୁ ଏଭଳି ଚାନ୍ଦା ସରକାରଙ୍କ ବିନା ଅନୁମତିରେ ନେଇପାରିବ ନାହିଁ। ଚୀନ୍‌ ଦୂତାବାସରୁ ରାଜୀବ ଗାନ୍ଧି ଫାଉଣ୍ଡେସନ ଏତେ ମୋଟା ଅଙ୍କର ଅର୍ଥ କାହିଁକି ନେଉଛି ସେ ବାବଦରେ ସ୍ଥିତି ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର