ନଳିନୀ ଶ୍ରୀହରନଙ୍କୁ ମିଳିଲା ୩୦ ଦିନର ପାରୋଲ୍‌

ରାଜୀବ ଗାନ୍ଧୀ ହତ୍ୟା ମାମଲା

ଚେନ୍ନାଇ : ଭାରତରେ ସବୁଠୁ ଅଧିକ ସମୟ ଧରି ଜେଲ୍‌ ଜୀବନ ଅତିବାହିତ କରିଥିବା ମହିଳା କଏଦୀ ନଳିନୀ ଶ୍ରୀହରନଙ୍କୁ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୩୦ ଦିନ ପାଇଁ ପାରୋଲ୍‌ ମଂଜୁର ହୋଇଛି। ଝିଅ ବାହାଘରରେ ଯୋଗ ଦେବାପାଇଁ ନଳିନୀ ୬ ମାସ ପ‌ାରୋଲ୍‌ରେ ବାହାରିବା ପାଇଁ ଆବେଦନ କରିଥିଲେ। କିନ୍ତୁ ମାଡ୍ରାସ ହାଇକୋର୍ଟ ନଳିନୀଙ୍କୁ ମାତ୍ର ୩୦ ଦିନ ପାରୋଲ୍‌ ମଂଜୁର କରିଛନ୍ତି। ମାଡ୍ରାସ ହାଇକୋର୍ଟରେ ଜଷ୍ଟିସ୍‌ ଏମ୍‌ଏମ୍‌ ସୁନ୍ଦ୍ରେଶ ଏବଂ ଜଷ୍ଟିସ୍‌ ଏମ ନିର୍ମଳ କୁମାରଙ୍କ ଖଣ୍ଡପୀଠ ନଳିନୀଙ୍କ ଆବେଦନର ଶୁଣାଣି କରି ତାଙ୍କୁ ପାରୋଲ୍‌ ମଂଜୁର କରିଛନ୍ତି। ନଳିନୀ ଆଜି କୋର୍ଟ ରୁମ୍‌ରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିଥିଲେ। ଝିଅ ବାହାଘର ପ୍ରସ୍ତୁତି କରିବାପାଇଁ ନଳିନୀ ୬ ମାସ ପାରୋଲ୍‌ ପାଇଁ ଆବେଦନ କରିଥିଲେ। କିନ୍ତୁ ଖଣ୍ଡପୀଠ କହିଛନ୍ତି , ଦଣ୍ଡାଦେଶର ନିୟମ ଅନୁଯାୟୀ ଜଣେ କଏଦୀଙ୍କୁ ଅତି ବେଶୀରେ ୩୦ ଦିନ ପାରୋଲ୍‌ ମିଳିପାରିବ। ତେବେ ନଳିନୀ ଏହି ପାରୋଲ୍‌ ସମୟରେ କୌଣସି ରାଜନେତାଙ୍କୁ ଭେଟିପାରିବେ ନାହିଁ ଏବଂ ଗଣାମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ୧୦ ଦିନ ମଧ୍ୟରେ ନଳିନୀଙ୍କ ପାରୋଲ୍‌ କାଗଜପତ୍ର ପ୍ରସ୍ତୁତ କରିବାପାଇଁ ଖଣ୍ଡପୀଠ ଜେଲ୍‌ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନଳିନୀଙ୍କ କହିବା ଅନୁଯାୟୀ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ପ୍ରତି ୨ ବର୍ଷରେ ଥରେ ଗୋଟିଏ ମାସ ପାରୋଲ୍‌ରେ ବାହାରିପାରିବେ। କିନ୍ତୁ ୨୭ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ଜେଲ୍‌ରେ ଥିଲେ ମଧ୍ୟ ପୂର୍ବରୁ କେବେହେଲେ ପାର‌ୋଲ୍‌ରେ ବାହାରିନାହାନ୍ତି। ନଳିନୀ ଏନେଇ ପ୍ରଥମେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ ୬ ମାସ ପାରୋଲ୍‌ ଆବେଦନ କରିଥିଲେ। ନଳିନୀଙ୍କ ପକ୍ଷରୁ ତାଙ୍କ ମା’ ଜେଲ୍‌ରେ ଉପସ୍ଥିତ ହୋଇଥିଲେ। କିନ୍ତୁ ଏହା ବିଫଳ ହେବରୁ ନଳିନୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଉଲ୍ଲେଖଯୋଗ୍ୟ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ନଳିନୀଙ୍କୁ ପ୍ରଥମେ ଫାଶୀ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ପରେ ଏପ୍ରିଲ ୨୪, ୨୦୦୦ରେ ନଳିନୀଙ୍କ ମୃତ୍ୟୂ ଦଣ୍ଡାଦେଶ ହଟାଯାଇ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ସମ୍ବନ୍ଧିତ ଖବର