ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଦୋଷୀ ଏଜି ପେରାରିବଲନ ଦୀର୍ଘ ୩୧ ବର୍ଷ ଜେଲ୍ରେ ରହିବାପରେ ଆଜି ମୁକୁଳିଛି। ଜଷ୍ଟିସ୍ ଏଲ୍ ନାଗେଶ୍ବର ରାଓଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ପେରାରିବଲନକୁ ଜେଲ୍ରୁ ମୁକ୍ତ କରିବାପାଇଁ ଧାରା ୧୪୨ ଅଧୀନରେ ଅତିରିକ୍ତ କ୍ଷମତା ପ୍ରୟୋଗ କରିଛନ୍ତି। ପେରାରିବଲନକୁ ପୂର୍ବରୁ ମୃତ୍ୟୁଦଣ୍ଡ ମିଳିଥିଲା। କିନ୍ତୁ ପରେ ତାକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ଦୀର୍ଘ ଦିନ ଧରି ପେରାରିବଲନ ଜେଲ୍ରେ ରହିଥିବା ବେଳେ ଡିସେମ୍ବର ୨୦୧୫ରୁ ତା’ର କ୍ଷମା ଆବେଦନ ପଡ଼ି ରହିଥିଲା। ଜେଲ୍ରେ ପେରାରିବଲନର ଉତ୍ତମ ବ୍ୟବହାର, ସ୍ବାସ୍ଥ୍ୟାବସ୍ଥା, ଶିକ୍ଷାଗତ ଯୋଗ୍ୟତା ଆଦିକୁ ବିଚାରକୁ ନେବାପରେ ସୁପ୍ରିମ୍ କୋର୍ଟ ତାକୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜେଲ୍ରୁ ମୁକୁଳିବାପରେ ପେରାରିବଲନକୁ ସାମ୍ବାଦିକମାନେ ଘେରି ଯାଇଥିଲେ। ସେ କହିଛି ଯେ ପ୍ରଥମେ ମତେ ନିଶ୍ବାସ ନେବାକୁ ସୁଯୋଗ ମିଳୁ। ଏହା ୩୧ ବର୍ଷର ନ୍ୟାୟିକ ଲଢ଼େଇ। ମୃତ୍ୟୁଦଣ୍ଡ ବାବଦରେ ସେ କହିଛି ଯେ ଏଭଳି ଦଣ୍ଡର ଆବଶ୍ୟକତା ନାହିଁ ବୋଲି ମୋର ଦୃଢ଼ ବିଶ୍ବାସ ଥିଲା। ଜେଲ୍ରୁ ମୁକୁଳିବାପରେ ପେରାରିବଲନ୍ ମା’ଙ୍କୁ ମିଠା ଖୁଆଇଥିଲେ। ପୁଅର ମୁକ୍ତିରେ ଆତ୍ମହରା ମା’ କହିଛନ୍ତି ଯେ ଏଥିପାଇଁ ବହୁତ ଲୋକ ସେମାନଙ୍କୁ ସହାୟତା କରିଛନ୍ତି। ପେରାରିବଲନକୁ ତା’ର ଭବିଷ୍ୟତ ଯୋଜନା ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିବା ବେଳେ ସେ କୌଣସି ଉତ୍ତର ରଖିନଥିଲେ। ସୁପ୍ରିମ୍ କୋର୍ଟଙ୍କ ରାୟକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ସ୍ବାଗତ ଜଣାଇଛନ୍ତି।
କଂଗ୍ରେସ କ୍ଷୁବ୍ଧ, ହତ୍ୟାକାରୀ ଏଭଳି ଛାଡ଼ ପାଇବ କେମିତି?
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ ଏଜି ପେରାରିବଲନ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଲ୍ରୁ ଖଲାସ ହୋଇଛି। କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ କଂଗ୍ରେସ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯେୱାଲା କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଆମେ ଗଭୀର ଭାବେ ମର୍ମାହତ। ଯଦି ପୂର୍ବ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀ ଏବଂ ଆତଙ୍କବାଦୀକୁ ଏଭଳି ଭାବେ ଛାଡ଼ି ଦିଆଯାଉଛି ତେବେ ଦେଶରେ ଆଇନର ଅଖଣ୍ଡତାକୁ କିଏ ସୁରକ୍ଷା ଦେବ। ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟେୱାଲା ଆଜି ଏଭଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ସୂର୍ଯେୱାଲା କହିଛନ୍ତି, ଏ ବାବଦରେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାରକୁ ଉତ୍ତର ଦେବାକୁ ପଡ଼ିବ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀକୁ ଏଭଳି ଭାବେ ଛାଡ଼ି ଦେବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ନିରବ ରହି କ’ଣ ଏଭଳି କାର୍ଯ୍ୟକୁ ସମର୍ଥନ କରୁଛନ୍ତି କି ବୋଲି ସୂର୍ଯ୍ୟେୱାଲା ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/5da4654gdadg132132gdgd32dga.jpg)