ଝିଅ ବାହାଘର ଲାଗି ୩୦ ଦିନ ପାରୋଲ୍‌ରେ ଗଲେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ନଳିନୀ

ଚେନ୍ନାଇ: ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲା ଦୋଷୀ ନଳିନୀ ଶ୍ରୀହରଣ ଏକ ମାସ ପାରୋଲ୍‌ରେ ଗୁରୁବାର ଦିନ ତାମିଲନାଡୁସ୍ଥିତ ବେଲୋର୍‌ କେନ୍ଦ୍ରୀୟ କାରାଗାରରୁ ମୁକୁଳିଛନ୍ତି।

ଝିଅ ବାହାଘର ପ୍ରସ୍ତୁତି ନିମନ୍ତେ ନଳିନୀ ମାସେ ପାରୋଲ୍‌ ଚାହିଁଥିଲେ। ଜେଲ୍‌ରେ ଜନ୍ମିଥିବା ତାଙ୍କ ଝିଅ ହରିତ୍ରା ସମ୍ପ୍ରତି ଇଂଲଣ୍ଡରେ ବାସ କରୁଛନ୍ତି।
ଜୁଲାଇ ପାଞ୍ଚ ତାରିଖ ଦିନ ମାଡ୍ରାସ ହାଇକୋର୍ଟ ତାଙ୍କୁ ପାରୋଲ ମଞ୍ଜୁର କରିଥିଲେ। ପାରୋଲ୍‌ ପାଇଁ ଆବେଦନ କରି ନଳିନୀ ବ୍ୟକ୍ତଗତ ଭାବେ ହାଇକୋର୍ଟ ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ।

ଅଦାଲତ ନିର୍ଦେଶ ଦେଇଥିଲେ ଯେ ରାଜ୍ୟ ସରକାର ତାଙ୍କ ଏସ୍‌କର୍ଟ ଖର୍ଚ୍ଚ ବହନ କରିବେ। ୨୮ ବର୍ଷ ବନ୍ଦିନୀ ଥିବା ନଳିନୀଙ୍କୁ ତାଙ୍କ ବାପାଙ୍କ ଶେଷକୃତ୍ୟରେ ଯୋଗ ଦେବା ପାଇଁ ଦିନଟିଏ ମାତ୍ର ପାରୋଲ୍‌ ମିଳିଥିଲା।

ImageCourtesy of Zee News

ନଳିନୀ ହେଉଛନ୍ତି ଦେଶର ସବୁଠୁ ଅଧିକ ସମୟ କାରାଗାରରେ ବନ୍ଦିନୀ ଥିବା ଦୋଷୀ ସାବ୍ୟସ୍ତ ହୋଇଥିବା ମହିଳା।

ତାମିଲନାଡୁର ଶ୍ରୀପେରୁମ୍‌ପୁଦୁର ଠାରେ ଗୋଟାଏ ନିର୍ବାଚନ ରାଲିରେ ୧୯୯୧ ମସିହା ମେ ୨୧ ତାରିଖ ଦିନ ଜଣେ ମହିଳା ଆତ୍ମଘାତୀ ବୋମା ଆକ୍ରମଣକାରୀଙ୍କ ଦ୍ୱାରା ପୂର୍ବତନ ପ୍ରଧାମନ୍ତ୍ରୀ ରାଜୀବ ଗାନ୍ଧୀ ନିହତ ହୋଇଥିଲେ।

ଏହି ମାମଲାରେ ନଳିନୀଙ୍କ ବ୍ୟତୀତ ତାଙ୍କ ସ୍ୱାମୀ ମୁରୁଗାନ୍‌, ଏଜି ପେରାରିବଲନ, ସନାତନ, ଜୟକୁମାର, ରବର୍ଟ ପାୟସ୍‌ ଏବଂ ରବିଚନ୍ଦ୍ରନ ଆଦି ଯାବଜ୍ଜୀବନ କରାଦଣ୍ଡ ଭୋଗୁଛନ୍ତି।

ସମ୍ବନ୍ଧିତ ଖବର