ସୁଖ୍‌ବୀର ସିଂହ ବାଦଲଙ୍କ ଅଭିଯୋଗ: ୧୯୮୪ର ଶିଖ୍‌ ବିରୋଧୀ ଦଙ୍ଗା ବେଳେ ରାଜୀବ ଗାନ୍ଧୀ ବୁଲି ବୁଲି ହତ୍ୟାର ହିସାବ ରଖୁଥିଲେ

ନୂଆଦିଲ୍ଲୀ: ଅକାଳୀ ଦଳ ନେତା ତଥା ପଞ୍ଜାବର ଉପ-ମୁଖ୍ୟମନ୍ତ୍ରୀ ସୁଖ୍‌ବୀର ସିଂହ ବାଦଲ, ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ଏକ ସଙ୍ଗୀନ୍‌ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ୧୯୮୪ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଯେଉଁ ଶିଖ୍‌ ବିରୋଧୀ ଦଙ୍ଗା ସଂଘଠିତ ହୋଇଥିଲା, ସେ ଦଙ୍ଗା ବେଳେ ରାଜୀବ ଗାନ୍ଧୀ ବୁଲି ବୁଲି ତାହାର ତଦାରଖ କରିବା ସହ ହତ୍ୟାର ହିସାବ ରଖୁଥିଲେ!

୧୯୮୪ର ଶିଖ୍‌ ବିରୋଧୀ ଦଙ୍ଗା କାଳରେ ରାଜୀବ ଗାନ୍ଧୀ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଜଗଦୀଶ ଟାଇଟଲର୍‌ଙ୍କ ସହିତ ଦିଲ୍ଲୀର ଦଙ୍ଗାଗ୍ରସ୍ତ ଅଞ୍ଚଳ ବୁଲିଥିଲେ ବୋଲି ନିଜେ ଜଗଦୀଶ ଟାଇଟଲର୍‌ କହିବା ପରେ, ରାଜୀବ ଗାନ୍ଧୀଙ୍କ ବିରୋଧରେ ଏ ପ୍ରକାରର ଅଭିଯୋଗ ଆଣିଛନ୍ତି, ଅକାଳୀ ଦଳ ନେତା ତଥା ପଞ୍ଜାବର ଉପ-ମୁଖ୍ୟମନ୍ତ୍ରୀ ସୁଖ୍‌ବୀର ସିଂହ ବାଦଲ। ଖାଲି ଏତିକି ନୁହେଁ, ସିବିଆଇ ମଧ୍ୟ ଟାଇଟଲର୍‌ଙ୍କର ଏ ସ୍ୱୀକାରୋକ୍ତିକୁ ଗୁରୁତ୍ୱର ସହ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

Sukhveer Singh Badal

ଉଲ୍ଲେଖଯୋଗ୍ୟ, କଂଗ୍ରେସର ବରିଷ୍ଠ ନେତା ଜଗଦୀଶ ଟାଇଟଲର୍‌ ନିକଟରେ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ଇନ୍ଦିରାଙ୍କ ମୃତ୍ୟୁପରେ ଦିଲ୍ଲୀରେ ଶିଖ୍‌ ବିରୋଧୀ ଦଙ୍ଗା ଉଗ୍ରରୂପ ଧାରଣା କରି ବ୍ୟାପକ ହୋଇଥିବା ବେଳେ ଦିଲ୍ଲୀର ଦଙ୍ଗାପୀଡ଼ିତ ଅଞ୍ଚଳକୁ ଗସ୍ତ କରିବା ସହ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ମଧ୍ୟ କଂଗ୍ରେସ ଏମ୍‌ପିମାନେ ସ୍ଥିତିକୁ ସୀମା ମଧ୍ୟରେ ରଖିବାରେ ବିଫଳ ହୋଇଥିବାରୁ ଘୋର ବିରକ୍ତି ପ୍ରକାଶ କରିଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ଚଳିତ ମାସ ଆରମ୍ଭରେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାର ପୁନଃ ତଦନ୍ତ କରିବା ପାଇଁ ଗୋଟିଏ ସ୍ପେଶାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଗଠନ କରିଛନ୍ତି। ଅବସରପ୍ରାପ୍ତ ବିଚାରପତି ନାରାୟଣ ଧିଙ୍ଗରା ଏସ୍‌ଆଇଟିର ମୁଖ୍ୟ ରହିଥିବା ବେଳେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ରାଜ୍‌ଦୀପ ସିଂହ ଏବଂ ଆଇପିଏସ୍‌ ଅଧିକାରୀ ଅଭିଷେକ ଦୁଲାର ଅନ୍ୟ ଦୁଇ ସଭ୍ୟ ରହିଛନ୍ତି। ଆସନ୍ତା ଦୁଇ ମାସ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳିନ ତଦନ୍ତ ରିପୋର୍ଟ ସୁପ୍ରିମ୍‌ କୋର୍ଟରେ ଦାଖଲ କରିବା ପାଇଁ ଏସ୍‌ଆଇଟିକୁ ନିର୍ଦ୍ଦେଶ ଦିଆଯାଇଛି।

୧୯୮୪ ଅକ୍ଟୋବର ୩୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କର ଦୁଇ ଶିଖ୍‌ ଅଙ୍ଗରକ୍ଷୀଙ୍କ ଗୁଳିର ଶିକାର ହୋଇ ପ୍ରାଣ ହରାଇବା ପରେ ଦେଶରେ ଶିଖ୍‌ ବିରୋଧୀ ଦଙ୍ଗା ଉଗ୍ରରୂପ ଧାରଣ କରିଥିଲା। ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଶିଖ୍‌ ବିରୋଧୀ ଦଙ୍ଗାରେ ସରକାରୀ ହିସାବ ମୁତାବକ ସମୁଦାୟ ୩୩୨୫ ଜଣ ପ୍ରାଣ ହରାଇଥିଲେ। ଏମାନଙ୍କ ମଧ୍ୟରେ କେବଳ ମାତ୍ର ଦିଲ୍ଲୀରେ ଦଙ୍ଗାର ଶିକାର ହୋଇ ପ୍ରାଣ ହରାଇଥିଲେ ୨୭୩୩ ଜଣ। ଭାରତ- ପାକିସ୍ତାନ ବିଭାଜନ ପରେ ୧୯୮୪ର ଶିଖ୍‌ ବିରୋଧୀ ଦଙ୍ଗା ଥିଲା ଦେଶର ସବୁଠାରୁ ବଡ଼ ଓ ଭୟଙ୍କର ସାଂପ୍ରଦାୟିକ ଦଙ୍ଗା।

ସମ୍ବନ୍ଧିତ ଖବର