ଗୌହାଟି: ଆସାମର ଓରାଙ୍ଗ୍ରେ ଥିବା ‘ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ’ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାଁ ଉଠାଇ ଦେଇ ତାହାକୁ ‘ଓରାଙ୍ଗ୍ ଜାତୀୟ ଉଦ୍ୟାନ’ ଭାବେ ପୁନର୍ନାମିତ କରିବା ଲାଗି ବୁଧବାର ଦିନ ଆସାମ କ୍ୟାବିନେଟ୍ରେ ପ୍ରସ୍ତାବନା ପାରିତ ହୋଇଛି। ଏହା ହେଉଛି ସର୍ବାଧିକ ମହାବଳ ବାଘ ଥିବା ଦେଶର ଅନ୍ୟତମ ଉଦ୍ୟାନ।
ଉଦ୍ୟାନର ନାମ ପରିବର୍ତ୍ତନ କରିବା ଲାଗି କେତେକ ସଙ୍ଗଠନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ଆସାମ ସରକାର ଘୋଷଣା କରିଛନ୍ତି।
ବିବୃତି ଦେଇ ରାଜ୍ୟ ସରକାର କହିଛନ୍ତି, ଆଦିବାସୀ ଏବଂ ଚା ବାଗାନ୍ ସମ୍ପ୍ରଦାୟଙ୍କ ଦାବିକୁ ସ୍ବୀକୃତି ଦେଇ ‘ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ’କୁ ‘ଓରାଙ୍ଗ୍ ଜାତୀୟ ଉଦ୍ୟାନ’ରୂପେ ପୁନର୍ନାମିତ କରିବା ଲାଗି କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି।
ଦାରାଙ୍ଗ୍, ଉଦଲଗୁଡ଼ି ଏବଂ ଶୋଣିତପୁର ଜିଲ୍ଲା ଦେଇ ପ୍ରବାହମାନ ବ୍ରହ୍ମପୁତ୍ର ନଦୀର ଉତ୍ତରକୂଳରେ ଅବସ୍ଥିତ ଉକ୍ତ ଜାତୀୟ ଉଦ୍ୟାନ ଭାରତୀୟ ଗଣ୍ଡାର, ମହାବଳ ବାଘ, ବାମନ ଘୁଷୁରି, ଜଙ୍ଗଲି ହାତୀ ଏବଂ ଜଳମହିଷ ଆଦି ବଣ୍ୟଜନ୍ତୁ ପାଇଁ ବିଖ୍ୟାତ।
୭୯.୨୮ ବର୍ଗ କିଲୋମିଟର୍ ବ୍ୟାପୀ ଗଢ଼ି ଉଠିଥିବା ଏହି ଅଞ୍ଚଳକୁ ୧୯୮୫ରେ ବଣ୍ୟପ୍ରାଣୀ ଅଭୟାରଣ୍ୟ ଘୋଷଣା କରାଯିବା ସହ ୧୯୯୯ରେ ଜାତୀୟ ଉଦ୍ୟାନ ପାହ୍ୟାକୁ ଉନ୍ନୀତ କରାଯାଇଥିଲା।
୧୯୯୨ରେ ପ୍ରଥମରୁ ‘ଓରାଙ୍ଗ୍ ବନ୍ୟପ୍ରାଣୀ ଅଭୟାରଣ୍ୟ’କୁ ରାଜୀବ ଗାନ୍ଧୀଙ୍କ ନାମାନୁସାରେ ନାମିତ କରାଯାଇଥିଲା। ୨୦୦୧ରେ କଂଗ୍ରେସର ତରୁଣ ଗୋଗୋଇ ସରକାର ଏହାକୁ ‘ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ’ ଭାବେ ନାମିତ କରିଥିଲେ।