ନୂଆ ସିଏଜି ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ ମେହରିଶୀ

ନୂଆଦିଲ୍ଲୀ  : ପୂର୍ବତନ ଗୃହ ସଚିବ ରାଜୀବ ମେହରିଶୀ ଆଜି ଭାରତର ନୂଆ ସିଏଜି (କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ସିଏଜି ଶଶି କାନ୍ତ ଶର୍ମା ସେପ୍ଟେମ୍ବର ୨୨ ତାରିଖରେ ପଦ ଛାଡ଼ିବାପରେ ସେ ନୂଆ ସିଏଜି ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶପଥପାଠ ଉତ୍ସବରେ ଉପସ୍ଥିତ ଥିଲେ। ରାଜସ୍ଥାନ କାଡ୍ରେର ୧୯୭୮ ବ୍ୟାଚ୍‌ର ଜଣେ ଅବସରପ୍ରାପ୍ତ ଆଇଏଏସ ଅଫିସର ମେହରିଶୀ ଗତମାସରେ ଗୃହ ସଚିବ ଭାବେ ତାଙ୍କ ୨ ବର୍ଷର କାର୍ଯ୍ୟକାଳ ଶେଷ କରିଛନ୍ତି। ଶଶିକାନ୍ତ ଶର୍ମା ମେ’ ୨୩, ୨୦୧୩ରେ ସିଏଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସିଏଜିି ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ପ୍ରତିରକ୍ଷା ସଚିବ ଥିଲେ। ତେବେ ରାଜସ୍ଥାନର ମେହରିଶୀ ଗ୍ଲାସଗୋ’ର ଷ୍ଟ୍ରେଥକ୍ଲାଇଡ୍‌ ୟୁନିଭର୍ସିଟିରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ସେ ମଧ୍ୟ ଦିଲ୍ଲୀ ୟୁନିଭର୍ସିଟିରୁ ଏମଏ ଏବଂ ବିଏ ଡିଗ୍ରୀ ହାସଲ କରିଛନ୍ତି। ଗୃହ ସଚିବ ଭାବେ ତାଙ୍କ ନିଯୁକ୍ତି ପୂର୍ବରୁ ସେ ଆର୍ଥିକ ମାମଲା ସଚିବ (ଇକୋନୋମିକ୍‌ ଆଫେୟାର୍ସ ସେକ୍ରେଟାରୀ) ଏବଂ ମୁଖ୍ୟ ସଚିବ ଥିଲେ। ସେ ମଧ୍ୟ ରସାୟନ ଏବଂ ଉର୍ବରକ ବିଭାଗରେ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର