ନୂଆଦିଲ୍ଲୀ: ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ନିର୍ବାଚନରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସର୍ବସମ୍ମତି କ୍ରମେ ରାଜକୁମାର ନିର୍ବାଚିତ ହୋଇଛନ୍ତି। ୨୦୨୫-୨୭ ବର୍ଷ ପାଇଁ ଏହି ନିର୍ବାଚନ ଦିଲ୍ଲୀର ଲଜପତ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଏକମାତ୍ର ପ୍ରାର୍ଥୀ ଭାବେ ରାଜକୁମାର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସଭାପତି ପଦରେ ସେ ପୁନର୍ବାର ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ଅଶୋକ କୁମାର ଜୈନ ଘୋଷଣା କରିଛନ୍ତି। ସେହିପରି ଲୋକସେବକ ମଣ୍ଡଳ କାର୍ଯ୍ୟନିର୍ବାହୀ ପରିଷଦକୁ ୬ ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ସେମାନେ ହେଲେ ମଣ୍ଡଳର ବରିଷ୍ଠ ଆଜୀବନ ସଦସ୍ୟ ଦୀପକ ମାଲବ୍ୟ, ନିରଞ୍ଜନ ରଥ, ରାଜେନ୍ଦ୍ର ଜେନା, ଅନୀତା ଗୋଏଲ, ନିମିଷା ଅମିନ ଓ ନୈନା ଭେକାରିଆ। 

Advertisment

ରାଜକୁମାର ୨୮ ଅପ୍ରେଲ ୧୯୫୧ରେ ଡେରାଡୁନ୍‌ ଠାରେ ଜନ୍ମଗ୍ରହଣ କରିଥିଲେ। ୧୯୮୨ ଅକ୍ଟୋବରରେ ସେ ଆନୁଷ୍ଠାନିକ ଭାବେ ଲୋକସେବକ ମଣ୍ଡଳରେ ଯୋଗଦାନ କରିଥିଲେ। ୨୦୨୧ ମାର୍ଚ୍ଚରେ ଲୋକସେବକ ମଣ୍ଡଳ ସଭାପତି ଭାବେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ସେ ୨୦୨୪ ଫେବ୍ରୁଆରିରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ଓଡ଼ିଆ ଦୈନିକ ଖବରକାଗଜ ‘ସମାଜ’ର ସିଧାସଳଖ ପରିଚାଳନା ଦାୟିତ୍ୱରେ ଅଛନ୍ତି। ସଭାପତି ପଦକୁ କ୍ରମାଗତ ତୃତୀୟ ଥର ନିର୍ବାଚିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।