ଆମେରିକା ପ୍ରତିରକ୍ଷା ସଚିବଙ୍କ ସହ ରାଜନାଥଙ୍କ ଆଲୋଚନା: ବୈଶ୍ବିକ ରଣନୀତିକ ସହଭାଗିତା ପାଇଁ ପ୍ରତିବଦ୍ଧ

ୱାସିଂଟନ୍ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତାଙ୍କ ଆମେରିକା ପ୍ରତିପକ୍ଷ ଲଏଡ୍‌ ଅଷ୍ଟିନ୍‌ଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଜ୍ଞାନ ଭବନରେ ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା ହୋଇଛି। ପ୍ରତିରକ୍ଷା‌ ଏବଂ ସାମରିକ କ୍ଷେତ୍ରରେ ଉଭୟ ରାଷ୍ଟ୍ର ପାରସ୍ପରିକ ସହଯୋଗ ବୃଦ୍ଧି କରିବେ ବୋଲି ଏହି ବୈଠକରେ ସ୍ଥିର ହୋଇଛି। ବୈଶିକ ରଣନୀତିକ ସହାଭାଗିତା ପାଇଁ ଭାରତ-ଆମେରିକା ଆଜି ପ୍ରତିବଦ୍ଧତା ଦୋହରାଇଛନ୍ତି। ଭାରତୀୟ ସେନା, ଆମେରିକା ଭାରତ-ପ୍ରଶାନ୍ତ କମାଣ୍ଡ୍‌ ଏବଂ ଆଫ୍ରିକା କମାଣ୍ଡ୍‌ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ‌ବୈଠକରେ ଆଲୋଚନା ହୋଇଛି। ଅଷ୍ଟିନ୍‌ ଏବଂ ତାଙ୍କ ପ୍ରତିନିଧି ଦଳଙ୍କ ସହ ଆଲୋଚନା ଫଳପ୍ରଦ ହୋଇଛି ବୋଲି ରାଜନାଥ କହିଛନ୍ତି।

ରାଜନାଥଙ୍କ ସହ ବୈଠକ ପ‌ରେ ଆମେରିକା ପ୍ରତିରକ୍ଷା ସଚିବ ଅଷ୍ଟିନ୍‌ ଗଣମାଧ୍ୟମକୁ କହିଛନ୍ତି, ଆମେରିକା ଶାନ୍ତି ରକ୍ଷା ଦିଗରେ ଅନ୍ୟ ସହଯୋଗୀ ରାଷ୍ଟ୍ରମାନଙ୍କ ସହ କାର୍ଯ୍ୟ ଜାରି ରଖିବ। ଭାରତୀୟ ମନ୍ତ୍ରୀମାନଙ୍କ ସହ ସେ ସଂଖ୍ୟାଲଘୁଙ୍କ ମାନବିକ ଅଧିକାର ସଂକ୍ରାନ୍ତରେ ମଧ ଆଲୋଚନା କରିଥିବା କହିଛନ୍ତି। ତେବେ ଉତ୍ତରପୂର୍ବରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମାନବିକ ଅଧିକାର ଉଲ୍ଲଂଘନ ସଂକ୍ରାନ୍ତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି କି ବୋଲି ପଚାରିବାରୁ ସେ କହିଥିଲେ, ଏଭଳି ପ୍ରସଙ୍ଗରେ କଥା ହେବାପାଇଁ ସୁଯୋଗ ପାଇନାହାନ୍ତି। ଗସ୍ତ ଅବସରେ ଅଷ୍ଟିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନ୍‌ଏସଏ ଅଜିତ ଡୋଭାଲ୍‌ ଏବଂ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଭେଟିଛନ୍ତି। ଗତକାଲି ସନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର