ରାଜୌରି: ଡିସେମ୍ବର ୨୨ରେ ସୁରକ୍ଷା ବଳ ଦ୍ୱାରା ଗିରଫ ହେବାର କିଛି ଘଣ୍ଟା ପରେ ସେନା ହେପାଜତରେ ମୃତ୍ୟୁବରଣ କରିଥିବା ୩ ଜଣ ସାଧାରଣ ନାଗରିକଙ୍କ ପରିବାରର ସଦସ୍ୟମାନେ ବୁଧବାର ମଧ୍ୟାହ୍ନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ରାଜୌରି ସହରରେ ସାକ୍ଷାତ୍ କରିଛନ୍ତି। ସୁରକ୍ଷା ପରିସ୍ଥିତି ସମୀକ୍ଷା ପାଇଁ ଦିନିକିଆ ଗସ୍ତରେ ଆସିଥିବା ସିଂହ ଉପଯୁକ୍ତ ତଦନ୍ତ ସହ ନ୍ୟାୟ ପ୍ରଦାନ କରାଯିବ ବୋଲି ମୃତକଙ୍କ ପରିବାର ସଦସ୍ୟଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେକ୍ଟର-୬ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡର ତଥା ୧୬ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର ବ୍ରିଗେଡିୟର ଏମ୍ପି ସିଂହ ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟାରେ ଭେଟି ପରିବାର ସଦସ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେ ଆଶ୍ୱାସନା ଦେଇ କହିଥିଲେ ଯେ ସେନା ତାଙ୍କ ସହିତ ଅଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ କିଛି ଅଧିକାରୀଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି ବୋଲି ସେ ସୂଚନା ଦେଇଥିଲେ। ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ ଲକ୍ଷ ଟଙ୍କା, ସରକାରୀ ଚାକିରି ଓ ସୁରନକୋଟରେ ପ୍ଲଟ୍ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି। ସେଥିମଧ୍ୟରୁ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇସାରିଛି।
ସୁରକ୍ଷା ସ୍ଥିତି ସମ୍ପର୍କରେ ସେନାର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ମନ୍ତ୍ରୀ ସରକାରୀ ଡାକ୍ତରଖାନାରେ ଆହତମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ। ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନହୁଏ ସେଦିଗରେ ଦୃଷ୍ଟି ଦିଅନ୍ତୁ। ସେନାବାହିନୀ ହାତରେ କେବଳ ଦେଶର ସୁରକ୍ଷା ଦାୟିତ୍ବ ନୁହେଁ ଲୋକଙ୍କ ହୃଦୟ ଜିଣିବାର ମଧ୍ୟ କର୍ତବ୍ୟ ରହିଛି ବୋଲି ଆଜି ଜମ୍ମୁ କଶ୍ମୀରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ସେନାବାହିନୀଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ପ୍ରତିରକ୍ଷାମନ୍ତ୍ରୀ ଜମ୍ମୁ ଠାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ନିକଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ସେନାଯବାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତି ସେନା ଯବାନଙ୍କ ଜୀବନ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ।