ରାଜନାଥଙ୍କ ସଂପର୍କରେ ନିଷ୍ପତ୍ତି ବଦଳିଲା : ଶେଷରେ ରାଜନୈତିକ, ସଂସଦୀୟ କମିଟିରେ ସ୍ଥାନ ମିଳିଲା

୮ଟି କ୍ୟାବିନେଟ୍‌ କମିଟି ପୁନର୍ଗଠିତ, ସବୁ କମିଟିରେ ଶାହ; ରାଜନାଥଙ୍କୁ ମିଳିଥିଲା ମାତ୍ର ୨ଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ୮ଟି କ୍ୟାବିନେଟ୍‌ କମିଟିର ପୁନର୍ଗଠନ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସମସ୍ତ ୮ଟି କ୍ୟାବିନେଟ୍‌ କମିଟିରେ ସାମିଲ କରାଯାଇଥିବା ବେଳେ ମୋଦୀଙ୍କ କ୍ୟ‌ାବିନେଟ୍‌ର ନମ୍ବର-୨ କୁହାଯାଉଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମାତ୍ର ୨ଟି କମିଟିରେ ସାମିଲ କରାଯାଇ ଅନ୍ୟ ଗୁରୁତ୍ବପୂର୍ଣ୍ଣ କମିଟିଗୁଡ଼ିକରୁ ବାଦ୍ ଦିଆଯାଇଥିଲା। ତେବେ ଏହାକୁ ନେଇ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହେବା ପରେ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ରାଜନାଥଙ୍କୁ ସଂସଦୀୟ ବ୍ୟାପାର ଏବଂ ରାଜନୈତିକ ବ୍ୟ‌ାପାର କମିଟି ସହିତ ଆହୁରି ୨ଟି କ୍ୟାବିନେଟ କମିଟିରେ ସ୍ଥାନ ଦିଆଯାଇଛି।

ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ଏପରିକି ତାଙ୍କୁ ସଂସଦୀୟ ବ୍ୟାପାର କମିଟିରେ ମଧ୍ୟ ରଖାଯାଇନଥିଲା। ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ପ୍ରୋଟୋ‌କଲ ଅନୁସାରେ ରାଜନାଥ ସିଂହଙ୍କ ସ୍ଥାନ ମୋଦୀ କ୍ୟାବିନେଟରେ ଦୁଇ ନମ୍ବର ଥିଲେ ମଧ୍ୟ ବାସ୍ତବରେ ମୋଦୀଙ୍କ ପରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରହିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।

ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷ ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଏବଂ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏଥିରେ ସଦସ୍ୟ ଅଛନ୍ତି। ପୁନର୍ଗଠନ ହୋଇଥିବା ଅନ୍ୟ କମିଟିଗୁଡ଼ିକ ହେଲା ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି, ଆର୍ଥିକ ବ୍ୟାପାର କ୍ୟାବିନେଟ୍‌ କମିଟି, ସଂସଦୀୟ ବ୍ୟାପାର କ୍ୟାବିନେଟ୍‌ କମିଟି, ରାଜନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି, ନିବେଶ ଏବଂ ଅଭିବୃଦ୍ଧି କ୍ୟାବିନେଟ୍‌ କମିଟି, କର୍ମନିଯୁକ୍ତି ଏବଂ କୌଶଳ ବିକାଶ କ୍ୟାବିନେଟ କମିଟି।

ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି କମିଟିରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡ଼କରୀ, ନିର୍ମଳା ସୀତାରମଣ, ରାମବିଳାସ ପାଶ୍ବାନ, ନରେନ୍ଦ୍ର ସିଂହ ତୋମର, ରବିଶଙ୍କର ପ୍ରସାଦ, ହରସିମରନ କୌର ବାଦଲ, ଡ. ହର୍ଷବର୍ଦ୍ଧନ, ପୀୟୂଷ ଗୋୟଲ, ଅରବିନ୍ଦ ଗଣପତ ସାୱନ୍ତ ଏବଂ ପ୍ରହ୍ଲାଦ ଯୋଶୀଙ୍କୁ ସାମିଲ କରାଯାଇଛି। ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଅଧ୍ୟକ୍ଷତା କରିବେ। ଏହି କମିଟିରେ ନୀତିନ ଗଡ଼କରୀ, ନିର୍ମଳା ସୀତାରମଣ, ରାଜନାଥ ସିଂହ, ସଦାନନ୍ଦ ଗୌଡ଼, ନରେନ୍ଦ୍ର ସିଂହ ତୋମର, ରବିଶଙ୍କର ପ୍ରସାଦ, ହରସିମ୍‌ରନ କୌର ବାଦଲ, ଏସ. ଜୟଶଙ୍କର ଏବଂ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର