ପ୍ରସ୍ତୁତ ରହିବାକୁ ତିନି ସେନାକୁ କାହିଁକି କହିଲେ ରାଜନାଥ ?

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତର ତିନି ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଚୀନକୁ ଲାଗିଥିବା ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାର ପ୍ରସ୍ତୁତିର ସମୀକ୍ଷା କରିବାକୁ ସେ ମିଲିଟାରି କମାଣ୍ଡରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପାକିସ୍ତାନ ସୀମାରେ ବି ପ୍ରସ୍ତୁତ ରହିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବୁଧବାର ଦେଇଥିବା ବୟାନର ଦିନକ ପରେ ରାଜନାଥ ଏହି ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ଗୁରୁତ୍ବ ଦିଆଯାଉଛି । ବୁଧବାରଦିନ ଚୀନ ରାଷ୍ଟ୍ରପତି ଚୀନ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ବୁଧବାରଦିନ ଚୀନ ସେନାର ଅପରେସନ କମାଣ୍ଡ ସେଣ୍ଟର ପରିଦର୍ଶନ ଅବସରରେ ଜିନପିଙ୍ଗ୍ ଚୀନ ସେନାକୁ ସମ୍ବୋଧନ କରି କହିଥିଲେ ଯେ ପୃଥିବୀରେ ଏବେ ଏକ ବଡ଼ ପରିବର୍ତ୍ତନ ଆସୁଛି । ଚୀନର ରାଷ୍ଟ୍ରୀୟ ସୁରକ୍ଷା ଅସ୍ଥିରତା ଓ ଅନିଶ୍ଚିତତାର ସମ୍ମୁଖୀନ ହେଉଛି । ଏହା ଫଳରେ ଚୀନ ସାମରିକ ବାହିନୀ ଆଗରେ ବଡ଼ ଆହ୍ବାନ ଦେଖାଦେଇଛି । ଏଣୁ ଚୀନ ସେନା ନିଜକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରଖିବାକୁ ସବୁ ଶକ୍ତି ଖଟାଇଦେବା ଉଚିତ ଓ ଯୁଦ୍ଧ ଲଢିବା ସହିତ ଯୁଦ୍ଧ ଜିତିବାକୁ  ଓ ନିଜର ମିସନ ବା ଲକ୍ଷ୍ୟ ହାସଲ କରିବାକୁ ପ୍ରସ୍ତୁତ ରହିବା ଉଚିତ ।

କେତେକ ବିଶେଷଜ୍ଞଙ୍କ ମତରେ ଜିନ ପିଙ୍ଗ ପୁଣି ରାଷ୍ଟ୍ରପତି ହେବା ପରେ ସେ ପୁଣି ଥରେ ଭାରତ ସହ ବିବାଦକୁ ବଢାଇବାର ସମ୍ଭାବନା ରହିଛି । ଭାରତ ମହାସାଗର ଉପରେ ନିଜର ଆଧିପତ୍ୟ ପାଇଁ ଭାରତକୁ ଲାଗିଥିବା ସୀମାରେ ବିବାଦକୁ ଜାରି ରଖି  ବ୍ୟସ୍ତ ରଖିବାକୁ ଚାହୁଁଛି ଚୀନ ।

ସମ୍ବନ୍ଧିତ ଖବର