ରୁଷ୍‌ର ବିଶାଳ ସାମରିକ ପରେଡ୍‌ରେ ଯୋଗ ଦେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ; କିନ୍ତୁ, ମସ୍କୋରେ ଚୀନ୍‌ ନେତାଙ୍କୁ ଭେଟିବେ ନାହିଁ

ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧରେ ସୋଭିଏତ୍ ବିଜୟର ୭୫ତମ ବାର୍ଷିକୀ ପାଳନ ଅବସରରେ ଜୁନ୍ ୨୪ ତାରିଖ ଦିନ ମସ୍କୋଠାରେ ଆୟୋଜନ କରାଯାଇଥିବା ବିଶାଳ ସାମରିକ ପରେଡ୍‌ରେ ଯୋଗ ଦେବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ରୁଷ୍ ନିମନ୍ତ୍ରଣ କରିଥିବା କଥା କୂଟନୈତିକସୂତ୍ରରୁ ଜଣାପଡ଼ିଛି। ଗସ୍ତ ସମୟରେ ମସ୍କୋରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଚୀନ୍‌ର ଶୀର୍ଷସ୍ତରୀୟ ନେତାମାନଙ୍କୁ ଭେଟି ନ ପାରନ୍ତି ବୋଲି କୁହାଯାଉଛି।

ଆହୁରି ମଧ୍ୟ ଜଣାପଡ଼ିଛି ଯେ, ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ସତ୍ତ୍ବେ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ନିମନ୍ତ୍ରଣକୁ ସକାରାତ୍ମକ ଦିଗରେ ବିଚାର କରୁଛି। ଏହାର କାରଣ ହେଉଛି, ରୁଷ୍‌ ସହ ଭାରତର ଦଶନ୍ଧି ଦଶନ୍ଧି ଧରି ରହିଥିବା ସାମରିକ ସମ୍ପର୍କ।

Image Courtesy of Defence Aviation Post

ଜୁନ୍ ୨୨ ତାରିଖରେ ରାଜନାଥ ମସ୍କୋ ଅଭିମୁଖେ ଯିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଗୋଟିଏ ଦିନ ପୂର୍ବରୁ ଯିବେ ବୋଲି ଆଶା କରାଯାଉଛି।

ମସ୍କୋର ରେଡ୍ ସ୍କୋୟାର୍‌ରେ ହେବାକୁ ଥିବା ଏହି ସାମରିକ ପରେଡ୍‌ରେ ଅଂଶଗ୍ରହଣ କରିବାକୁ ଭାରତ ତିନି ବାହିନୀର ପ୍ରତିନିଧି ଦଳ ପଠାଇବ ବୋଲି ଖବର ମିଳିଛି। ଜଣେ କର୍ଣ୍ଣେଲ୍ ପାହ୍ୟାର ଅଫିସର୍ ଭାରତୀୟ ପରେଡ୍‌ର ନେତୃତ୍ବ ଗ୍ରହଣ କରିବେ।

ଚୀନ୍ ସମେତ ଅନ୍ୟୂନ ୧୧ଟି ଦେଶର ସଶସ୍ତ୍ର ବାହିନୀଙ୍କ ସହ ତାଳ ଦେଇ ୭୫ ସଦସ୍ୟବିଶିଷ୍ଟ ଭାରତୀୟ ଦଳ ଏହି ସାମରିକ ପରେଡ୍‌ରେ ଭାଗ ନେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର