ଉଲାନ୍ବାତର୍: ମଙ୍ଗୋଲିଆ ଗସ୍ତରେ ଯାଇଥିବା ଭାରତର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଆଜି ମଙ୍ଗୋଲୀୟ ରାଷ୍ଟ୍ରପତି ଗୋଟାଏ ଚମତ୍କାର ଘୋଡ଼ା ଉପହାର ଦେଇଛନ୍ତି।
ସ୍ମରଣଯୋଗ୍ୟ, ୭ ବର୍ଷ ତଳେ ଭାରତର ପ୍ରଧାନମନ୍ତ୍ରୀ ମଙ୍ଗୋଲିଆ ଗସ୍ତ କରିଥିବା ବେଳେ ମଧ୍ୟ ମଙ୍ଗୋଲୀୟ ରାଷ୍ଟ୍ରପତିଙ୍କଠାରୁ ଘୋଡ଼ାଟିଏ ଉପହାର ପାଇଥିଲେ। ୨୦୧୫ରେ ମୋଦୀଙ୍କର ଉକ୍ତ ସ୍ମରଣୀୟ ଗସ୍ତ ସମୟରେ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଚିମେଡ୍ ସୈଖାନ୍ବିଲେଗ୍ ଗୋଟାଏ ବାଦାମୀ ରଙ୍ଗର ‘ରେସ୍ହର୍ସ’ (ଘୋଡ଼ଦୌଡ଼ରେ ଭାଗ ନେଉଥିବା ଘୋଡ଼ା) ଉପହାର ଦେଇଥିଲେ।
ଉପହାର ପାଇଥିବା ଧଳାଘୋଡ଼ାର ଚିତ୍ର ସହିତ ଟୁଇଟ୍ କରି ରାଜନାଥ ସିଂହ ଲେଖିଛନ୍ତି, ମଙ୍ଗୋଲିଆରେ ଆମର ବିଶେଷ ବନ୍ଧୁଙ୍କଠାରୁ ବିଶେଷ ଉପହାର। ଏହି ଅସାମାନ୍ୟ ସୁନ୍ଦର ଘୋଡ଼ାର ନାଁ ଦେଇଛି ‘ତେଜସ୍’। ଆପଣଙ୍କୁ ଧନ୍ୟବାଦ ରାଷ୍ଟ୍ରପତି ଖୁରେଲ୍ସୁଖ। ମଙ୍ଗୋଲିଆକୁ ମଧ୍ୟ ଧନ୍ୟବାଦ।
/sambad/media/post_attachments/wp-content/uploads/2022/09/tejas.jpg)
ମଙ୍ଗଳବାର ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗୋଲୀୟ ରାଷ୍ଟ୍ରପତି ଉଖନାଗାଇନ୍ ଖୁରେଲସୁଖ୍ଙ୍କ ଭେଟି ଦ୍ବିପାକ୍ଷିକ ରଣନୈତିକ ସହଯୋଗିତା ସମୀକ୍ଷା କରିଥିଲେ।
ସେ ସଂକ୍ରାନ୍ତରେ ଟୁଇଟ୍ କରି ସେ ଲେଖିଥିଲେ: ଉଲାନ୍ବାତର୍ରେ ମଙ୍ଗୋଲିଆର ରାଷ୍ଟ୍ରପତି ଏଚ୍.ଇ.ୟୁ. ଖୁରେଲସୁଖଙ୍କ ସହିତ ଭଲ ଆଲୋଚନା ହେଲା। ୨୦୧୮ରେ ସେ ଦେଶର ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କ ସହିତ ହୋଇଥିବା ଭେଟ କଥା ସ୍ମରଣ କଲି। ମଙ୍ଗୋଲିଆ ସହିତ ଆମର ବହୁମୁଖୀ ରଣନୈତିକ ସହଯୋଗିତାକୁ ଅଧିକ ସୁଦୃଢ଼ କରିବା ଲାଗି ଆମେ ପୂର୍ଣ୍ଣ ପ୍ରତିବଦ୍ଧ।
ଉଲ୍ଲେଖଯୋଗ୍ୟ, ମଙ୍ଗୋଲିଆ ଏବଂ ଜାପାନ ସହିତ ଭାରତର ରଣନୈତିକ ଏବଂ ପ୍ରତିରକ୍ଷା ସମ୍ପର୍କ ସମ୍ପ୍ରସାରଣ କରିବା ଲାଗି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାରରୁ ୫ଦିନିଆ ଗସ୍ତରେ ମଙ୍ଗୋଲିଆ ଓ ଜାପାନ ଯାଇଛନ୍ତି। ସେ ସେପ୍ଟେମ୍ବର ୫ରୁ ୭ ତାରିଖ ପର୍ଯ୍ୟନ୍ତ ମଙ୍ଗୋଲିଆ ଗସ୍ତରେ ରହିବେ।