ନୂଆଦିଲ୍ଲୀ: ଧନଖଡ଼ଙ୍କ ଇସ୍ତଫା ପରେ କିଏ ହେବେ ଭାରତର ଉପ-ରାଷ୍ଟ୍ରପତି ? ଗତ ସୋମବାର ଠାରୁ ଏ ଚର୍ଚ୍ଚା ଏବେ ସାରା ଦେଶରେ ଲାଗି ରହିଥିବା ବେଳେ ବିଭିନ୍ନ ନାଁକୁ ନେଇ ଭିନ୍ନ ଭିନ୍ନ ସମୟରେ ଆଲୋଚନା ହେଉଛି । ଆଉ ଏବେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯାହା ସୂଚାଉଛି କି ଏଥର ବିଜେପି ହିଁ ନିଜ ଦଳରୁ ବାଛିପାରେ ଉପ-ରାଷ୍ଟ୍ରପତି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଏଥର ବିଜେପି ନିଜ ଦଳରୁ ଉପ-ରାଷ୍ଟ୍ରପତି ବାଛିବାକୁ ସ୍ଥିର କରିଥିବା ଚର୍ଚ୍ଚା ହେଉଛି ଆଉ ବିଜେପି ପୂ୍ରବରୁ ଭେଙ୍କିଆ ନାଇଡୁ ଆଉ ଏବେ ଧନଖଡ଼ଙ୍କ ପରି ନେତା ଖୋଜିବା ପାଇଁ ମିଶନ ଆରମ୍ଭ କରିଛି ।

Advertisment

ଶୁଣିବାକୁ ମିଳୁଛି ବିଜେପି ପାଖରେ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ପର୍ଯ୍ୟାପ୍ତ ସଂଖ୍ୟା ବଳ ଅଛି । ତେଣୁ ମେଣ୍ଟ ସହଯୋଗୀଙ୍କୁ ଉପ-ରାଷ୍ଟ୍ରପତି ପଦ ଗିଫ୍ଟ ନଦେଇ, ନିଜ ପାଖରେ ଏହି ପଦ ରଖିପାରେ ବିଜେପି । ସୂତ୍ରରୁ ମିଳିଥିବା ଖବର ମୁତାବକ, ପାର୍ଟିର ବିଚାରଧାରା ସହ ମଜଭୁତ ଭାବେ ଜଡ଼ିତ ଥିବା କୌଣସି ନେତାଙ୍କୁ ଉପ-ରାଷ୍ଟ୍ରପତି କରିପାରେ ବିଜେପି । ଏପରି ପରିପ୍ରେକ୍ଷୀରେ ଧନଖଡ଼ଙ୍କ ଉତ୍ତରାଧିକାରୀ କିଏ ହେବ, ଏବେ ତାକୁ ନେଇ ମାନସମନ୍ଥନ ଆରମ୍ଭ ହୋଇଛି । 

ଚର୍ଚ୍ଚା ହେଉଛି ମୋଦୀ କ୍ୟାବିନେଟର ଜଣେ, ଦୁଇ ଜଣ ମନ୍ତ୍ରୀ ଉପ-ରାଷ୍ଟ୍ରପତି ରେସରେ ଆଗରେ ରହିଛନ୍ତି । ଖାସ୍ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ରେସରେ ଆଗରେ ଅଛନ୍ତି । ଏହାସହ ବିହାର ଫର୍ମୁଲାରେ ରବି ଶଙ୍କର ପ୍ରସାଦ ମଧ୍ୟ ରେସରେ ସାମିଲ ହୋଇଛନ୍ତି ।  ବିହାର ଫର୍ମୁଲାକୁ ଦେଖିଲେ ରାମନାଥ ଠାକୁରଙ୍କ ନାଁ ବି ରହିଛି । ରାମନାଥ ଠାକୁର ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୂରୀ ଠାକୁରଙ୍କ ପୁଅ, ଯିଏକି ପଛୁଆ ଜାତିରୁ ଆସୁଛନ୍ତି । ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଆଉ କର୍ପୂରୀ ଠାକୁରଙ୍କୁ ଉପ-ରାଷ୍ଟ୍ରପତି ଆସନରେ ବସାଇ, ଦଳ ବଡ଼ ଗେମ୍ ଖେଳିବାକୁ ଲକ୍ଷ୍ୟ ରଖିଛି ।  ନଡ୍ଡାଙ୍କ ସହ ସାକ୍ଷାତକାର ପରେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି ।