ରାଜନାଥ ସିଂହଙ୍କ ରୁଷ୍‌ ଗସ୍ତ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନିଦିନିଆ ରୁଷ୍‌ ଗସ୍ତରେ ଯାଇଛନ୍ତି। ମହାମାରୀ କୋଭିଡ୍-୧୯ ଯୋଗୁଁ ଗତ ଚାରି ମାସ ହେଲା ଆନ୍ତର୍ଜାତିକ ବିମାନ ଚଳାଚଳ ଉପରେ କଟକଣା ରହିଥିବା ବେଳେ ଜଣେ ବରିଷ୍ଠ କେନ୍ଦ୍ର ମନ୍ତ୍ରୀଙ୍କ ଏହା ପ୍ରଥମ ବିଦେଶ ଗସ୍ତ ବୋଲି ଜଣାଯାଇଛି। ସୂଚନା ଥାଉ କି, ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନୀ ଉପରେ ରୁଷ୍‌ ବିଜୟର ୭୫ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଆୟୋଜିତ ଏକ ବଡ଼ ଧରଣର ସାମରିକ ପ୍ୟାରେଡ୍‌ରେ ରାଜନାଥ ଯୋଗଦେବେ। ଏହି ଅବସରରେ ସେ ରୁଷ୍‌ର ଶୀର୍ଷ ସାମରିକ ଅଧିକାରୀଙ୍କ ସହ ପ୍ରତିରକ୍ଷା ସଂକ୍ରାନ୍ତ ଆଲୋଚନା କରିବେ ବୋଲି ଆଶା କରାଯାଉଛି। ସମ୍ପ୍ରତି ସୀମାରେ ଚୀନ୍‌ ସହ ଲାଗି ରହିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ମସ୍କୋ ଗସ୍ତ ଅନେକ ଗୁରୁତ୍ବ ବହନ କରୁଛି। ତେବେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ସାମରିକ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଲାଗି ଏହି ଗସ୍ତ ତାଙ୍କ ପାଇଁ ଏକ ସୁଯୋଗ ଆଣିବ ବୋଲି ମସ୍କୋ ଅଭିମୁଖେ ଯାତ୍ରା କରିବା ପୂର୍ବରୁ ରାଜନାଥ ସାମ୍ବାଦିକମାନଙ୍କୁ କହିଛନ୍ତି। ସୂଚନାଥାଉ କି, ରୁଷ୍‌ର ଏହି ଜର୍ମାନୀ-ବିଜୟ ପୂର୍ତ୍ତି ପାଳନ ପ୍ୟାରେଡ୍‌ରେ ଚୀନ୍‌ ସମେତ ୧୧ଟି ଦେଶ ସହିତ ଭାଗ ନେବା ପାଇଁ ଭାରତର ଏକ ୭୫ ଜଣିଆ ସାମରିକ ଦଳ ମସ୍କୋରେ ପହଞ୍ଚି ସାରିଛନ୍ତି।

ସମ୍ବନ୍ଧିତ ଖବର