ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗଠାରେ ହୋଇଥିବା ଭାରତ ଓ ଚୀନ ସେନା ସଂଘର୍ଷ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ର ସ୍ଥିତି ବଦଳାଇବା ଲକ୍ଷ୍ୟରେ ଆସିଥିଲେ ଚୀନ ସେନା । କିନ୍ତୁ ଭାରତୀୟ ସେନା ସେମାନଙ୍କ ଉଦ୍ୟମକୁ ବିଫଳ କରିଦେଇଥିଲା ।

Advertisment

ମଙ୍ଗଳବାରଦିନ ସଂସଦରେ ବୟାନ ରଖି ରାଜନାଥ କହିଥିଲେ ଯେ ଭାରତୀୟ ସେନା ବୀରତ୍ବର ସହ ଚୀନ ସୈନ୍ୟଙ୍କ ପ୍ରତିରୋଧ କରିଥିଲେ । ଏହା ଫଳରେ ତଓ୍ବାଙ୍ଗ ସେକ୍ଟରରେ ଏଲଏସିର ସ୍ଥିତି ବଦଳାଇବାକୁ ଆସିଥିବା ଚୀନ ସେନା ବିଫଳ ହୋଇ ପଛଘୁଞ୍ଚା ଦେଇଥିଲା ଓ ନିଜ ପୋଷ୍ଟକୁ ଫେରିବାକୁ ବାଧ୍ୟ ହୋଇଥିଲା ।

ଏହି ସଂଘର୍ଷରେ ଉଭୟ ପକ୍ଷର ସୈନ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଏହା ପରେ ୧୧ ତାରିଖ ଦିନ ଦୁଇ ସେନା ମଧ୍ୟରେ ଫ୍ଲାଗ ମିଟିଂ ହୋଇ ସ୍ଥିତିକୁ ସ୍ବାଭାବିକ କରାଯାଇଥିଲା ବୋଲି ରାଜନାଥ କହିଛନ୍ତି ।

ଚୀନ ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଯାଇଛି । ସୀମାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ହେଲେ ଚୀନ ସେନା ଏପରି ଉଦ୍ୟମରୁ କ୍ଷାନ୍ତ ହେବା ଉଚିତ ବୋଲି ଚୀନ ପକ୍ଷକୁ ଜଣାଇଦିଆଯାଇଛି  ବୋଲି ରାଜନାଥ କହିଛନ୍ତି ।

ଭାରତୀୟ ସେନା ଦେଶର ଅଖଣ୍ଡତା ରକ୍ଷା କରିବାକୁ ପ୍ରସ୍ତୁତ ରହିଛି ଓ ଯେକୌଣସି ଅନୁପ୍ରବେଶକୁ ରୋକିବାକୁ ସକ୍ଷମ ବୋଲି ସେ କହିଛନ୍ତି ।