ଭୋପାଳ:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ବିରୋଧୀ ପଦକ୍ଷେପ ଏବଂ ୫୦ ପ୍ରତିଶତ ଶୁଳ୍କ ଲଦିବା ମାମଲାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଭୋପାଳରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ । କିଛି ଲୋକ ଅଛନ୍ତି ଯେଉଁମାନେ ଭାରତର ବିକାଶକୁ ପସନ୍ଦ କରନ୍ତି ନାହିଁ । ସେମାନେ ନିଜକୁ ଦୁନିଆର ମାଲିକ ବୋଲି ଭାବୁଛନ୍ତି। ସେମାନେ ବୁଝିପାରୁନାହାନ୍ତି ଯେ ଭାରତ କିପରି ଏତେ ଦ୍ରୁତ ଗତିରେ ବିକାଶ କରୁଛି। ଭାରତର ଲୋକମାନେ ତିଆରି କରୁଥିବା ଜିନିଷ ଯଦି ଅନ୍ୟ କୌଣସି ଦେଶକୁ ଯାଏ, ତେବେ ସେହି ଦେଶରେ ତିଆରି ହେଉଥିବା ଜିନିଷ ମହଙ୍ଗା ହୋଇଯାଏ। ଭାରତର ପ୍ରଗତିକୁ ସହ୍ୟ କରିପାରୁନଥିବା ଲୋକେ ଏବେ ଭାରତୀୟ ଉତ୍ପାଦକୁ ଟାର୍ଗେଟ୍‌ କରୁଛନ୍ତି।  ସେ କହିଛନ୍ତି,  ଆଜି ଭାରତ ଯେଉଁ ବେଗରେ ଗତି କରୁଛି, ତାହା ଆମକୁ ଦିନେ ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବ। ରାଜନାଥ କହିଛନ୍ତି, ପ୍ରତିରକ୍ଷା କ୍ଷେତ୍ର ବିଷୟରେ ଜାଣିଲେ ଯେ କୌଣସି ଭାରତୀୟ ଗର୍ବ ଅନୁଭବ କରିବ। ଆମେ ଏବେ ୨୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛୁ ।   ଭାରତର ନୂଆ ପ୍ରତିରକ୍ଷା କ୍ଷେତ୍ର କ୍ରମାଗତ ବିକାଶ କରୁଛି ଏବଂ ରପ୍ତାନି ଲଗାତାର  ବୃଦ୍ଧି ପାଉଛି। 
ପ୍ରତିରକ୍ଷା ମନ୍ତ୍ରୀ ଅପରେସନ୍ ସିନ୍ଦୂର ବିଷୟରେ  କହିଛନ୍ତି ଯେ ଆତଙ୍କବାଦୀମାନେ ପହଲଗାମରେ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଅତି ବର୍ବରତାର ସହ ହତ୍ୟା କରିଥିଲେ, କିନ୍ତୁ ଭାରତ ଆତଙ୍କବାଦୀଙ୍କ କାରନାମା ଦେଖି ଏହାର ଜବାବ ଦେଇଥିଲା ଏବଂ ଆମର ସାମର୍ଥ୍ୟ ନେଇ ପୂରା ବିଶ୍ବ ଅବଗତ ହୋଇଛି।