ଲୋକସଭାରେ ରାଜନାଥଙ୍କ ବୟାନ: ଏଲ୍‌ଏସି ବିବାଦର ସମାଧାନ ହୋଇଛି, ଚୀନ୍‌ ଆମ ସଂକଳ୍ପର ଶକ୍ତିକୁ ବୁଝିପାରିଛି

ବିବାଦୀୟ ଅଂ‌ଚଳରେ ପାଟ୍ରୋଲିଂ ହେବନାହିଁ

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ ମାମଲାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲୋକସଭାରେ ଚୀନ୍‌ ‌ସହ ହୋଇଥିବା ବୁଝାମଣା ଏବଂ ସେନା ପ୍ରତ୍ୟାହାର ସଂକ୍ରାନ୍ତ ତଥ୍ୟ ରଖିଛନ୍ତି। ଚୀନ୍‌ ସହ ହୋଇଥିବା ବୁଝାମଣାରେ ଭାରତର ଏଲ୍‌ଏସି ନୀତିରେ କୌଣସି ସାଲିସ୍‌ ହୋଇନାହିଁ ଏବଂ ଚୀନ୍‌ ଆମ ସଂକଳ୍ପର ଶକ୍ତିକୁ ବୁଝି ପାରିଛି ବୋଲି ରାଜନାଥ କହିଛନ୍ତି। ଚୀନ୍‌ ଫିଙ୍ଗର ୩ ଅଂଚଳରେ ନିଜ ସେନାକୁ ରଖିବ ଏବଂ ଭାରତୀୟ ସେନା ଧାନ ସିଂହ ଥାପା ପୋଷ୍ଟରେ ରହିବେ। ଏଲ୍‌ଏସିରେ ପୁରୁଣା ସ୍ଥିତି ଖୁବ୍‌ଶୀଘ୍ର ଫେରିବ ଏବଂ ଦକ୍ଷିଣ ସୀମାରେ ମଧ୍ୟ ଶାନ୍ତି ବଜାୟ ରହିବ ବୋଲି ରାଜନାଥ କହିଛନ୍ତି।

ଏବେ ଏଲ୍‌ଏସି ବିବାଦର ସମାଧାନ ହୋଇଥିବାରୁ ଅସ୍ଥାୟୀ ଭାବେ ଏହି ଅଂଚଳରେ ପାଟ୍ରୋଲିଂ ସ୍ଥଗିତ ହେବ ବୋଲି ରାଜନାଥ ଲୋକସଭାରେ କହିଛନ୍ତି। ଗତବର୍ଷ ସେପ୍‌ଟେମ୍ବର ମାସରୁ ଭାରତ ଏବଂ ଚୀନ୍‌ ମଧ୍ୟରେ ସାମରିକ କମାଣ୍ଡରସ୍ତରୀୟ ଆଲୋଚନା ଜାରି ରହିଥିଲା ଏବଂ ଗତମାସରେ ହୋଇଥିବା ଆଲୋଚନାରେ ‌ସେନା ପ୍ରତ୍ୟାହାର ପାଇଁ ସହମତି ପ୍ରକାଶ ପାଇଥିଲା। ଏଲ୍‌ଏସିରେ ଶାନ୍ତି ଫେରାଇ ଆଣିବା ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେନା ପ୍ରତ୍ୟାହାର କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି ଏବଂ ଗତକାଲିଠାରୁ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି । ଚୀନ୍‌ର ସବୁ ଅତିକ୍ରମଣ ଯୋଜନାକୁ ଭାରତ ବିଫଳ କରିଛି ଏବଂ ଆମର ଇଂଚେ ଜମି ମଧ୍ୟ କେହି ନେଇପାରି ନାହିଁ ବୋଲି ରାଜନାଥ କହିଛନ୍ତି। ଆଜି ଅପରାହ୍ନ ସୁଦ୍ଧା ଉଭୟ ପଟୁ ଶତାଧିକ ଟ୍ରକ୍‌ରେ ସୈନିକ ଏବଂ ଯୁଦ୍ଧ ସରଂଜାମ ଫେରିଥିବା ଜଣାପଡ଼ିଛି।

ସେନା ପ୍ରତ୍ୟାହାର ପାଇଁ ସହମତି ହେଲା କେମିତି
ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଦୀର୍ଘ ୧୦ ମାସ ଧରି ଭାରତ ଓ ଚୀନ୍‌ ମଧ୍ୟରେ ସାମରିକ ଶତ୍ରୁତା ଲାଗି ରହିବା ପରେ ଦୁଇ ପଡ଼ୋଶୀ ଦେଶ ଉତ୍ତେଜନା କମାଇବା ପାଇଁ ସହମତ ହେବା ବିଶ୍ବକୁ ଆଶ୍ବସ୍ତ କରିଛି। ସୂଚନା ମୁତାବକ ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟାର ଅଂଶ ବିଶେଷ ପ୍ରଥମେ ପେଙ୍ଗୋଙ୍ଗ୍ ହ୍ରଦର ଫିଙ୍ଗର ଇଲାକା ଉଭୟ ପକ୍ଷ ପାଇଁ ପଇଁତରା ବିହୀନ ଅଞ୍ଚଳ ହୋଇ ରହିବ। ତେବେ ବିବାଦାସ୍ପଦ ଫିଙ୍ଗର ୪ ଇଲାକାରୁ ହିଁ ସୈନ୍ୟ ପ୍ରତ୍ୟାହାର ପାଇଁ ଯୋଜନା ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ଉଭୟ ଦେଶ ମଧ୍ୟରେ ଅନୁଷ୍ଠିତ ଶେଷ ସାମରିକ ସ୍ତରୀୟ କଥାବାର୍ତ୍ତା ବେଳେ ଫିଙ୍ଗର ୪ରେ ଉଭୟ ଦେଶ ପାଟ୍ରୋଲିଂ ନ କରିବା ପାଇଁ ସହମତ ହୋଇଥିଲେ।

ବିବାଦୀୟ ହ୍ରଦ ଅଞ୍ଚଳକୁ ଆଠଟି ଫିଙ୍ଗର ଇଲାକାରେ ବିଭକ୍ତ କରାଯାଇଥିବା ବେଳେ ଫିଙ୍ଗର ୮ ଯାଏ ନିଜର ସୀମା ରହିଛି ବୋଲି ଭାରତ ଦାବି କରୁଛି। ତେବେ ଏହି ନୂତନ ସୈନ୍ୟ ପ୍ରତ୍ୟାହାର ଯୋଜନାନୁଯାୟୀ, ଚୀନ୍‌ ଫିଙ୍ଗର ୮ ଯାଏ ଫେରିବାକୁ ଥିବା ବେଳେ ଭାରତ ମଧ୍ୟ ଧାନ ସିଂହ ଥାପା ଘାଟି ନିକଟ ଫିଙ୍ଗର ୩କୁ ଘୁଞ୍ଚି ଆସିବ। ଏଥି ସହିତ ପାଙ୍ଗଙ୍ଗ ସୋ’ ହ୍ରଦର ଦକ୍ଷିଣ ଉପକୂଳରୁ ମଧ୍ୟ ସୈନ୍ୟ ପ୍ରତ୍ୟାହାର ହେବେ।

ସମ୍ବନ୍ଧିତ ଖବର