ଚୀନ୍‌କୁ ରାଜନାଥଙ୍କ କଡ଼ା ବାର୍ତ୍ତା: ଭାରତର କିଛି କ୍ଷତି ହେଲେ କାହାର ନିସ୍ତାର ନାହିଁ

ନୂଆଦିଲ୍ଳୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚୀନ୍‌କୁ ଆଜି ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ରାଜନାଥ କହିଛନ୍ତି, ଯଦି ଭାରତର କିଛି କ୍ଷତି ହୁଏ ତେବେ ଏହା କାହାକୁ ବି ନିସ୍ତାର ମିଳିବନି। ସାନ୍‌ ଫ୍ରାନସିସ୍କୋରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ ଚୀନ୍‌ ସୀମାରେ ଭାରତୀୟ ସୈନିକଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି। ରାଜନାଥ କହିଛନ୍ତି, ଭାରତୀୟ ସୈନିକ କ’ଣ କରିଛନ୍ତି ଏବଂ ଆମେ କେଉଁ ନିଷ୍ପତ୍ତି ନେଇଛୁ ତାହା ମୁଁ ଖୋଲାଖୋଲି ଭାବେ କହି ପାରିବିନି। କିନ୍ତୁ ମୁଁ ଏହା କହୁଛି ଯେ ସେମାନଙ୍କୁ (ଚୀନ୍‌କୁ) ଏକ ବାର୍ତ୍ତା ଯାଇଛି। ଯଦି ଭାରତର କିଛି କ୍ଷତି ହୁଏ ତେବେ ଭାରତ କାହାକୁ ଛାଡ଼ିବନି। ସୂଚନାଯୋଗ୍ୟ, ୨୦୨୦ରେ ପେଙ୍ଗୋଙ୍ଗ ହ୍ରଦ୍‌ ଅଂଚଳରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଭାରତୀ-ଚୀନ୍‌ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ୨୦୨୦ ଜୁନ୍‌ ୧୫ରେ ଗଲୱାନ୍‌ ଘାଟିରେ ହୋଇଥିବା ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଯାଇଥିଲେ। ଏଥିରେ ଚୀନ୍‌ର ମଧ୍ୟ ଅତି କମ୍‌ରେ ୪୦ ସୈନିକ ନିହତ ହୋଇଥିବା କୁହାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨+୨ ମନ୍ତ୍ରୀ ସ୍ତରୀୟ କଥାବାର୍ତ୍ତାରେ ଭାଗନେବା ପାଇଁ ଆମେରିକା ଗସ୍ତ କରିଥିଲେ। ଏହାପରେ ସେ ଆମେରିକା ଭାରତ-ପ୍ରଶାନ୍ତ କମାଣ୍ଡ୍‌ ମୁଖ୍ୟାଳୟ ଏବଂ ସାନ୍‌ ଫ୍ରାନ୍‌ସିସ୍କୋରେ ବୈଠକ ପାଇଁ ଯାତ୍ରା କରିଥିଲେ।

ସମ୍ବନ୍ଧିତ ଖବର