ନୂଆଦିଲ୍ଲୀ: ଭାରତୀୟ ନାଗରିକଙ୍କ ବିରୋଧରେ ରାଷ୍ଟ୍ର ପ୍ରାୟୋଜିତ ଆକ୍ରମଣ ପାଇଁ ଆତଙ୍କବାଦୀମାନଙ୍କୁ ନିୟୋଜିତ କରିଥିବା ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ୨.୧ ବିଲିୟନ ଡଲାର ସହାୟତାର ପୁନର୍ବିଚାର କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆହ୍ବାନ ଦେଇଛନ୍ତି। ଅପରେସନ ସିନ୍ଦୂର ଅଧୀନରେ ଭାରତୀୟ ସେନା ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିବା ବେଳେ ଆଇଏମ୍ଏଫ୍ ଏହି ପାଣ୍ଠି ଘୋଷଣା କରିଛି। ଏହି ଘୋଷଣା ସମୟରେ ପାକିସ୍ତାନ ଉତ୍ତର ଭାରତର ବେସାମରିକ ଓ ସାମରିକ ଅଞ୍ଚଳ ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିବାରେ ବ୍ୟସ୍ତ ଥିଲା।

Advertisment

ଗୁଜରାଟର ଭୁଜ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଯବାନଙ୍କୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ପାକିସ୍ତାନକୁ ଆଇଏମ୍‌ଏଫ୍‌ର ସହାୟତା ପରୋକ୍ଷରେ ଆତଙ୍କବାଦକୁ ପାଣ୍ଠି ଯୋଗାଣ। ଆଇଏମ୍‌ଏଫ୍‌ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର।  ଜାଗୁଆର ଡିପ୍ ପେନିଟ୍ରେସନ୍ ଷ୍ଟ୍ରାଇକ୍ ଲଢ଼ୁଆ ବିମାନ ଓ ଏସ୍-୧୨୫ ପେଚୁରା କ୍ଷେପଣାସ୍ତ୍ର ବ୍ୟବସ୍ଥା ସମ୍ମୁଖରେ ଠିଆ ହୋଇ ରାଜନାଥ ଏହି ଭାଷଣ ଦେଇଥିଲେ। ସୂଚନାଯୋଗ୍ୟ, ଆଇଏମ୍‌ଏଫ୍‌ ପାକିସ୍ତାନକୁ ଦୁଇ ପର୍ଯ୍ୟାୟରେ ୨.୧ ବିଲିୟନ ଡଲାର ପ୍ରଦାନ କରିଛି।