ବିଜେପି ସାଂସଦଙ୍କୁ ରାଜନାଥଙ୍କ ଚେତାବନୀ: ଗୃହରେ ଅନୁପସ୍ଥିତ ରହିବା ଗ୍ରହଣୀୟ ନୁହେଁ‌

ମୋଦୀଙ୍କ କଡ଼ା ବାର୍ତ୍ତା ଜଣାଇଦେଲେ

ନୂଆଦିଲ୍ଲୀ: ବିଜେପି ସାଂସଦମାନେ ସଂସଦ ଅଧିବେଶନ ଚାଲିଥିବା ବେଳେ ଗୃହରେ ଅନୁପସ୍ଥିତ ରହିବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ‌ଗୃହରେ ଅନୁପସ୍ଥିତ ନ ରହିବାପାଇଁ ମୋଦୀଙ୍କ କଡ଼ା ବାର୍ତ୍ତା ଆଜି ସାଂସଦମାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜଣାଇ ଦେଇଛନ୍ତି। ରାଜନାଥ ଆଜି ବିଜେପି ସଂସଦୀୟ ଦଳ ବୈଠକରେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସାଂସଦମାନେ ଗୃହରେ ଅନୁପସ୍ଥିତ ରହୁଥିବାରୁ ଏହାକୁ ହାଲୁକା ଭାବେ ଗ୍ରହଣ କରାଯିବ ନାହିଁ।। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ମଧ୍ୟ ସମସ୍ତ ସାଂସଦମାନଙ୍କୁ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିବାପାଇଁ ଅନୁରୋଧ କରିଛନ୍ତି। ପ୍ରତ୍ୟେକ ସାଂସଦ ଶୃଙ୍ଖଳିତ ଭାବେ ନିୟମ ପାଳନ କରିବାକୁ ସେ ଗୁରୁତ୍ବାରୋପ କରିଛନ୍ତି। ଅନ୍ୟପକ୍ଷେ ସଂସଦରେ କୌଣସି ଅସଂସଦୀୟ ଭାଷା ଗ୍ରହଣୀୟ ନୁ‌ହେଁ ବୋଲି ରାଜନାଥ କହିଛନ୍ତି। ବିରୋଧୀଙ୍କୁ ବିରୋଧ କରିବା ଠିକ୍‌, କିନ୍ତୁ କଂଗ୍ରେସ ଯେଭଳି କରୁଛି ସେଭଳି କରିବା ଆଦୌ ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଲୋକସଭାରେ ବିଜେପି ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ୍‌ସେଙ୍କୁ ‌ଦେଶଭକ୍ତ କହିବା ପରିପ୍ରେକ୍ଷୀରେ ରାଜନାଥ ଏହା କହିଛନ୍ତି। ଅନୁପସ୍ଥିତ ରହୁଥିବା ପ୍ରତ୍ୟେକ ସାଂସଦଙ୍କ ବାବଦରେ ରିପୋର୍ଟ ପ୍ରସ୍ତୁତ କରିବାକୁ ଦଳ ଏବେ ପଦକ୍ଷେପ ନେଉଛି।

ସମ୍ବନ୍ଧିତ ଖବର