ଜମ୍ମୁ : ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲାରେ ଶୁକ୍ରବାର ସକାଳେ ହୋଇଥିବା ଆତଙ୍କବାଦୀ-ସୁରକ୍ଷାବଳ ଗୁଳି ବିନିମୟରେ ଆଉ ୩ ଜଣ ଯବାନ ସହିଦ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏହି ଘଟଣାରେ ସହିଦ ଯବାନଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ସହିଦ ଯବାନମାନେ ପାରା ସ୍ପେଶାଲ ଫୋର୍ସର କମାଣ୍ଡୋ ବୋଲି ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ ଶୁକ୍ରବାର ସକାଳେ ରାଜୌରିର କାଣ୍ଡି ଜଙ୍ଗଲରେ ସେନା ପକ୍ଷରୁ ଏକ ଅପରେସନ କରାଯାଉଥିବାବେଳେ ଆତଙ୍କବାଦୀମାନେ ଏକ ବିସ୍ଫୋରଣ କରିଥିଲେ । ଏଥିରେ ୨ ଯବାନ ସହିଦ ହୋଇଥିବାବେ​ଳେ ଆଉ ୪ ଜଣ ଆହତ ହୋଇଥିଲେ । ଏହି ଆହତଙ୍କ ମଧ୍ୟରୁ ଆଉ ୩ ଜଣ ମୃତ୍ୟୁବରଣ କରିବା ପରେ ମୋଟ ସହିଦ ସଂଖ୍ୟା ୫କୁ ବୃଦ୍ଧି ପାଇଛି ।

ଜମ୍ମୁ ଅଞ୍ଚଳର ଭାଟା ଧୁରିଆନ୍ ର ତୋଟା ଗଲି ଅଞ୍ଚଳରେ ଗତ ସପ୍ତାହରେ ହୋଇଥିବା ସେନା ଟ୍ରକ୍  ଆକ୍ରମଣରେ ସଂପୃକ୍ତ ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଗୁଇନ୍ଦା ସୂଚନା ଆଧାରରେ ସେନା ଏହି ଟିମ୍ ଅପରେସନ୍ ଚଳାଇଥିଲା । କାଣ୍ଡି ଜଙ୍ଗଲର ଘଞ୍ଚ ଗଛ ଓ ପଥର ଅଞ୍ଚଳରେ ଥିବା ଏକ ଗୁମ୍ଫାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ଗୁରୁବାର ଏକ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା ।  ଏହି ଅଂଚଳରେ ଏବେ ବି ସେନାର ଅପରେସନ ଜାରି ରହିଛି ଓ କିଛି ଆତଙ୍କବାଦୀ ଫସି ରହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାରେ ଇଣ୍ଟରନେଟ୍ ସେବା କୁ ବନ୍ଦ କରାଯାଇଛି ।